Lqzttrhmd0gdsn8gwzck

ସୀମା ଟପୁଛି ଅନ୍ଧବିଶ୍ୱାସ, କୁସଂସ୍କାର ବଞ୍ଚି ଥାଉଥାଉ ମା’ର ଶୁଦ୍ଧିକ୍ରିୟା

Spread the love

ଭାପୁର: ସୀମା ଟପିଛି କୁସଂସ୍କାର ଓ ଅନ୍ଧବିଶ୍ୱାସ। ଗାଁ ମୁଖିଆଙ୍କ ଚାପରେ ୮୧ ବର୍ଷର ବୃଦ୍ଧା ମା’ ବଞ୍ଚି ଥାଉଥାଉ ପୁଅ-ବୋହୂ ଶୁଦ୍ଧି ହୋଇଛନ୍ତି। ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଗାଁରେ ଭୋଜିଭାତ ମଧ୍ୟ ଦେଇଛନ୍ତି। ମାତ୍ର ମା’ଙ୍କର ରୋଗ ଭଲ ହେଉନଥିବା‌ ଖବର ପାଇବା ପରେ ଗ୍ରାମବାସୀ ଅଜବ ନିୟମ କରିଛନ୍ତି। ପୁଣି ଥରେ ମା’ର ଶୁଦ୍ଧିକ୍ରିୟା ପାଇଁ ସେମାନେ ପରିବାର ଲୋକଙ୍କୁ ବାଧ୍ୟ କରୁଛନ୍ତି। ମାତ୍ର ଏଥର ରାଜି ନ ହେବାରୁ ଭାପୁର ବ୍ଲକ୍ ପଦ୍ମାବତୀ ଗାଁର ମଙ୍ଗୁଳି ଦଳେଇଙ୍କ ପରିବାରକୁ ଏବେ ନିଆଁପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ମଙ୍ଗୁଳିଙ୍କ ପୁଅମାନେ ଆଉ ମଜୁରି ଲାଗିବା ପାଇଁ ଯାଉ ନଥିବା ବେଳେ ପିଲାମାନଙ୍କୁ ସ୍କୁଲ ଓ କଲେଜ ବାରଣ କରାଯାଇଛି। ଅଭିଯୋଗ ମୁତାବକ, ଦୁଇ ମାସ ତଳେ ହଠାତ୍ ‌ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ନାକରେ ଏକ ଘା ହୋଇଥିଲା। ଧୀରେ ଧୀରେ ଏଥିରେ ସଂକ୍ରମଣ ହେବାରୁ ଘା’ଟି ବଢ଼ିଥିଲା।
ଏହାଦେଖି ପରିବାର ଲୋକ ଭୟଭୀତ ହୋଇପଡ଼ିଥିଲେ ଓ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ନାକ ଟେକିବା ସହ ସଂକ୍ରମଣ ଭୟରେ ମଙ୍ଗୁଳିଙ୍କ ପରିବାର ଲୋକଙ୍କୁ କାହା ସହ ମିଶିବା ପାଇଁ ବାରଣ କରାଯାଇଥିଲା। ଏମିତିକି ଦୋକାନରୁ ସଉଦା କିଣିବା, କୂଅ, ପୋଖରୀ ଓ ନଦୀରେ ଗାଧୋଇବା ଉପରେ କଟକଣା ଜାରି କରାଯାଇଥିଲା। ମଙ୍ଗୁଳି ସୁସ୍ଥ ହେବା ପରେ ତାଙ୍କର ଶୁଦ୍ଧିକ୍ରିୟା କରିବା ପାଇଁ ନିର୍ଦ୍ଦେଶ ଦିଆଗଲା। ଏହାର କିଛି ଦିନ ପରେ ବୃଦ୍ଧା ମା’ ବଞ୍ଚି ଥାଉ ଥାଉ ପରିବାରର ୧୬ ଜଣ ସଦସ୍ୟ ଶୁଦ୍ଧିକ୍ରିୟା କରିବା ସହ ଗାଁରେ ଭୋଜିଭାତ, ବ୍ରାହ୍ମଣ ଭୋଜନ ଓ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଥିଲା। ଏଥିରେ ୭୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଘଟଣାର କିଛି ଦିନ ପରେ ପୁଣି ଥରେ ମଙ୍ଗୁଳିଙ୍କ ନାକ ସଂକ୍ରମିତ ହୋଇ ପୋକ ବାହାରିଥିଲା। ଏହାକୁ ନେଇ ପୁଣି ଗାଁରେ ମଙ୍ଗୁଳିଙ୍କ ପରିବାରକୁ ବ‌ାସନ୍ଦ କରାଯାଇଛି। ଦୁଇ ଝିଅ ଯୁକ୍ତ ୩ରେ ପାଠ ପଢ଼ୁଥିବା ବେଳେ ଜଣେ ମାଟ୍ରିକ୍‌ ପରୀକ୍ଷା ଦେବ। ଆଉ ଜଣେ ନବମ ଶ୍ରେଣୀରେ ପାଠ ପଢ଼ୁଛି। ମାତ୍ର ସମସ୍ତଙ୍କର ବିଦ୍ୟାଳୟ ଓ କଲେଜ ଯିବା ଉପରେ କଟକଣା ଜାରି କରାଯାଇଛି। ପୁଣି ଥରେ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଅର୍ଥ ଅଭାବରୁ ଏହି କାର୍ଯ୍ୟ କରିବା ପାଇଁ ମଙ୍ଗୁଳିଙ୍କ ପୁଅମାନେ ରାଜି ନାହାନ୍ତି। ଫଳରେ ସମସ୍ତଙ୍କୁ ଏବେ ଗାଁରୁ ବାସନ୍ଦ କରାଯାଇଛି। ଏଣୁ ଏ ନେଇ ତୁରନ୍ତ ଜିଲ୍ଲା ପ୍ରଶାସନ ପଦ‌କ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *