ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପରାମର୍ଶ
ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବର ମୁକାବିଲା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟା ମୁକାବିଲା ସମ୍ପର୍କିତ ସମୀକ୍ଷା ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି।
ମନ୍ତ୍ରୀ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ସ୍ଥିତିରେ ବର୍ଷା ଓ ବନ୍ୟା ଅପେକ୍ଷା ଭୂସ୍ଖଳନ ସମସ୍ୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥିସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୋଷ୍ଟଗାର୍ଡ ଓ ନୌସେନାର ହେଲିକପ୍ଟରକୁ ମଧ୍ୟ ସଜାଗ ରଖାଯିବ।ଆଜି କେତେକ ଜିଲ୍ଲାରେ ଡ୍ୟାମ୍ର ଗେଟ୍ ଖୋଲାଯାଇ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରାଯାଉଛି। ଏହାଦ୍ୱାରା ସମ୍ଭାବ୍ୟ ଅଧିକ ବର୍ଷା ଓ ଜଳପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି କରାଯାଉଛି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସମସ୍ତ ଅଧିକାରୀଙ୍କୁ ନିଜ ନିଜ କାର୍ଯ୍ୟସ୍ଥଳରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲିଠାରୁ ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକୁ ବିଭିନ୍ନ ଆବଶ୍ୟକୀୟ ସ୍ଥାନକୁ ପଠାଯିବ।
