ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରୁ CJPର ପ୍ରତିବାଦ ଆରମ୍ଭ
ନୂଆଦିଲ୍ଲୀ: ଆଜିଠୁ CJPର ଦେଶବ୍ୟାପୀ ଆନ୍ଦୋଳନ । ମୁମ୍ବାଇରୁ ଆରମ୍ଭ ହେବ ପ୍ରତିବାଦ । CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି କକରୋଚ ଜନତା ପାର୍ଟି । CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଘୋଷଣା କରି କହିଛନ୍ତି, ପ୍ରଥମ ପ୍ରତିବାଦ ମୁମ୍ବାଇରୁ ଆରମ୍ଭ ହେବ ଏବଂ ପରେ ଏହାକୁ ଦେଶର ଅନ୍ୟ ସହରକୁ ନିଆଯିବ । ଆଜି ଅପରାହ୍ଣ ୪ଟାରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ପାର୍କର ଗେଟ୍ ନମ୍ବର ୬ ନିକଟରେ ପ୍ରଥମ ପ୍ରତିବାଦ ହେବ । ଏହା ପରେ ବିଭିନ୍ନ ସହରରେ ଆନ୍ଦୋଳନ କରି ଶେଷରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ଧାରଣା କରିବାକୁ CJP ଯୋଜନା କରିଛି ।
ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦୀପକେ କହିଛନ୍ତି । CJP ଏହି ଆନ୍ଦୋଳନରେ ତିନିଟି ପ୍ରମୁଖ ଦାବି ଆଗରେ ରଖିଛି । ପ୍ରଥମ ହେଉଛି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା । ଦ୍ୱିତୀୟ ହେଉଛି ୨୦୨୫ର ଭୋଟର ତାଲିକାକୁ ଫ୍ରିଜ୍ କରି ସେହି ତାଲିକା ଆଧାରରେ ନିର୍ବାଚନ କରାଯାଉ । ତୃତୀୟ ହେଉଛି ପରବର୍ତ୍ତୀ Election Commissioner ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସ୍ୱାଧୀନ କରାଯାଉ ଏବଂ ଏଥିରେ civil societyର ଭାଗିଦାରୀ ରହୁ । ଏହି ଆନ୍ଦୋଳନକୁ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କାର୍ଯ୍ୟକ୍ରମ ଭାବେ ଉପସ୍ଥାପନ ନକରିବାକୁ CJP ଚେଷ୍ଟା କରୁଛି ।
ଆନ୍ଦୋଳନକୁ ଆସୁଥିବା ଲୋକଙ୍କୁ ରାଜନୈତିକ ଦଳର ପତାକା କିମ୍ବା ବ୍ୟାନର ନଆଣିବାକୁ ଦିପ୍ କେ ଆହ୍ୱାନ ଦେଇଛନ୍ତି । CJP କୌଣସି ଦଳ ସହ ହାତ ମିଳାଉନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଏହା ସହ ଆଜି ଜନ୍ତରମନ୍ତରରେ CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଅନ୍ୟ ଗୋଷ୍ଠୀ ଓ ସାମାଜିକ କର୍ମୀଙ୍କ ପକ୍ଷରୁ ପ୍ରସ୍ତାବିତ ପ୍ରତିବାଦ ନେଇ ମଧ୍ୟ ଚର୍ଚ୍ଚା ରହିଛି । ତେବେ ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀ ପୋଲିସ ଅନୁମତି ଦେଇନଥିବା ଜଣାପଡିଛି । ସେପଟେ SIR ପ୍ରକ୍ରିୟାକୁ ନେଇ CJP ଅନେକ ଅଭିଯୋଗ ଉଠାଇଛି । CJPର ଅଭିଯୋଗ ହେଉଛି ଯେ ଭୋଟର ତାଲିକାରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ଭୋଟରଙ୍କ ଅଧିକାରକୁ ପ୍ରଭାବିତ କରିଛି । ଦୀପକେ ନିର୍ବାଚନ କମିଶନର ସ୍ୱାଧୀନତା ଓ କାର୍ଯ୍ୟପ୍ରଣାଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହି ବିବାଦ ମଧ୍ୟରେ ନିର୍ବାଚନ କମିଶନ ଭୋଟର ତାଲିକା ସଫ୍ଟୱେର ସମ୍ପର୍କିତ ପ୍ରକ୍ରିୟାର ସମୀକ୍ଷା ପାଇଁ ପଦକ୍ଷେପ ନେଇଛି ।
