ଗୁଜରାଟରେ ୟୁନିଫର୍ମ ସିଭିଲ୍ କୋଡ୍କୁ ମଞ୍ଜୁରୀ
ଗାନ୍ଧୀନଗର: ଉତ୍ତରାଖଣ୍ଡ ପରେ ଗୁଜରାଟ ହେଉଛି ଭାରତର ଦ୍ୱିତୀୟ ରାଜ୍ୟ, ଯିଏକି ୟୁନିଫର୍ମ ସିଭିଲ୍ କୋଡ୍ (UCC) ବା ଏକକ ନାଗରିକ ସଂହିତା ବିଲ୍କୁ ମଞ୍ଜୁରୀ ଦେଇଛି। ୨୦୨୬ ମାର୍ଚ୍ଚ ୨୪ରେ ଗୁଜରାଟ ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ନିଜର ସହମତି ପ୍ରଦାନ କରିଛନ୍ତି। ଏହା ସହିତ ଗୁଜରାଟ ସରକାର ଅକ୍ଟୋବର ୧, ୨୦୨୬ରେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରି ଏହାକୁ ଆଇନରେ ପରିଣତ କରିଛନ୍ତି।
ଏହି ଆଇନ ସମସ୍ତ ଧର୍ମର ନାଗରିକଙ୍କ ପାଇଁ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବ୍ୟକ୍ତିଗତ ମାମଲାରେ ସମାନ ନିୟମ ଲାଗୁ କରିବ। ଏହି ନିୟମ ଅନୁଯାୟୀ, ସମସ୍ତ ଧର୍ମର ଲୋକଙ୍କ ପାଇଁ ବିବାହର ୬୦ ଦିନ ମଧ୍ୟରେ ପଞ୍ଜୀକରଣ (Registration) କରିବା ବାଧ୍ୟତାମୂଳକ ଅଟେ। ନିୟମ ଉଲ୍ଲଂଘନ କଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ସେହିପରି ଏହି ଆଇନ ଅନୁଯାୟୀ କୌଣସି ବି ଧର୍ମର ବ୍ୟକ୍ତି ଗୋଟିଏରୁ ଅଧିକ ବିବାହ (Polygamy) କରିପାରିବେ ନାହିଁ।
ଲିଭ୍-ଇନ୍ରେ ରହୁଥିବା ଯୋଡିଙ୍କୁ ୩୦ ଦିନ ମଧ୍ୟରେ ଏହାର ପଞ୍ଜୀକରଣ କରିବାକୁ ପଡ଼ିବ। ପଞ୍ଜୀକରଣ ନକଲେ ଜରିମାନା କିମ୍ବା ୩ ମାସ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। ତେବେ ଲିଭ୍-ଇନ୍ରୁ ଜନ୍ମିତ ସନ୍ତାନମାନଙ୍କୁ ଆଇନଗତ ସ୍ୱୀକୃତି ଓ ସମ୍ପତ୍ତି ଅଧିକାର ମିଳିବ। ସେହିପରି ପୈତୃକ ସମ୍ପତ୍ତି ଉପରେ ପୁଅ ଏବଂ ଝିଅଙ୍କର ସମାନ ଅଧିକାର ରହିବ। ଯଦି କୌଣସି ବ୍ୟକ୍ତି ବିନା ଉଇଲ୍ (Will) ରେ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ସମ୍ପତ୍ତିରେ ପିତାମାତାଙ୍କର ମଧ୍ୟ ଭାଗ ରହିବ। ବ୍ୟକ୍ତିଗତ କିମ୍ବା ପାରମ୍ପରିକ ପ୍ରଥା ଅନୁଯାୟୀ ହେଉଥିବା ଛାଡ଼ପତ୍ରକୁ ଅବୈଧ ଘୋଷଣା କରାଯାଇଛି। କେବଳ ନ୍ୟାୟାଳୟ ବା କୋର୍ଟଙ୍କ ଦ୍ୱାରା ହିଁ ଛାଡ଼ପତ୍ର ବୈଧ ହେବ
କାହା ପାଇଁ ଏହି ଆଇନ ଲାଗୁ ହେବ ନାହିଁ?
ସମ୍ବିଧାନର ନିୟମକୁ ଦୃଷ୍ଟିରେ ରଖି ଗୁଜରାଟର ଅନୁସୂଚିତ ଜନଜାତି (Scheduled Tribes – ST) ବା ଆଦିବାସୀ ସମ୍ପ୍ରଦାୟକୁ ଏହି ଆଇନରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। ଏହି ଆଇନ ସମଗ୍ର ଗୁଜରାଟ ରାଜ୍ୟରେ ଲାଗୁ ହେବା ସହ ଗୁଜରାଟର ଯେଉଁ ସ୍ଥାୟୀ ବାସିନ୍ଦା ରାଜ୍ୟ ବାହାରେ ରହୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ହେବ। ରାଜ୍ୟ ସରକାର ଏହି ଆଇନର ପ୍ରଶାସନିକ ନିୟମାବଳୀ ପ୍ରସ୍ତୁତ କରିବା ପରେ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ।
