ଆଫଗାନିସ୍ତାନରେ ଭୂକମ୍ପ, ୫.୩ ତୀବ୍ରତାରେ ଦୋହଲିଲା ହିନ୍ଦୁକୁଶ ଅଞ୍ଚଳ
ନୂଆଦିଲ୍ଲୀ : ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ସ୍ଥଳଭାଗରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୫.୩ ରହିଥିବା ଜଣାପଡିଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁସାରେ, ସକାଳ ପ୍ରାୟ ୬:୫୯ ମିନିଟ୍ ସମୟରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଥିଲା । ହିନ୍ଦୁକୁଶ ପାର୍ବତ୍ୟ ଅଞ୍ଚଳରେ ଭୂକମ୍ପର କେନ୍ଦ୍ରବିନ୍ଦୁ ରହିଥିବାରୁ କମ୍ପନ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି । ଭୂକମ୍ପରେ ଆତଙ୍କିତ ହୋଇ ଲୋକମାନେ ନିଜ ନିଜ ଘରୁ ବାହାରକୁ ଚାଲିଆସିଥିଲେ ।
ସେହିପରି ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଧନଜୀବନ କ୍ଷତି କିମ୍ବା ବଡ଼ଧରଣର କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିନାହିଁ । ହିନ୍ଦୁକୁଶ ଅଞ୍ଚଳ ଭୌଗୋଳିକ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ସିସମିକ୍ ଜୋନରେ ଆସୁଥିବାରୁ ଏଠାରେ ଅନେକ ସମୟରେ ଏପରି ଭୂକମ୍ପର ଝଟକା ଅନୁଭୂତ ହୋଇଥାଏ । ତେବେ ଗତମାସରେ ୪.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଆଫଗାନିସ୍ତାନ ଭୂକମ୍ପ ଯୋଗୁଁ ଅନେକ ଥର କ୍ଷତି ସହିଛି । ସେହିପରି ୧୦ ସେପ୍ଟେମ୍ବରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଆଫଗାନିସ୍ତାନ ସହିତ ତାଜିକିସ୍ତାନ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ୨୦୨୩ରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିରେ ୨୦୦୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୯୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
