ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୨ ମୃତ, ୬ ଆକ୍ରାନ୍ତ
ସୋରଡ଼ା: ଗଞ୍ଜାମ ଧରାକୋଟ ପଟାଶାଳ ମଳିକ ସାହିରେ ଝାଡ଼ାବାନ୍ତିର ଆତଙ୍କ ଦେଖିବାକୁ ମିଳିଛି । ଝାଡ଼ାବାନ୍ତିରେ ୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରାନ୍ତ ମାନଙ୍କୁ ବ୍ରହ୍ମପୁର MKCGରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କାହିଁକି ବ୍ୟାପିଲା ଝାଡାବାନ୍ତି, କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗାଁରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ବ୍ଲିଚିଂ ପକାଯିବା ସହ ଗାଁରୁ ପାଣି ଓ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବରେଟୋରୀକୁ ପଠାଯାଇଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଆକ୍ରାନ୍ତ ବ୍ୟକ୍ତିମାନେ ଏକ ଭୋଜିରେ ଯୋଗଦେବା ପାଇଁ ପୋଡ଼ାମାରି ଯାଇଥିଲେ । ଏକାଦଶାହ ଭୋଜି ଖାଇବାର ଦୁଇ ଦିନ ପରେ ମାର୍ଥାପୁର ଗାଁରେ ପନ୍ଦର ଦିନ ତଳେ ଜଣଙ୍କ ମୃତ୍ୟୁ ଘଟିଥିଲା l ଗତକାଲି ପଟାଶାଳ ମଳିକ ସାହିରେ ଜଣଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଆସିବା ପରେ ହିଁ ଝାଡ଼ାବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣାପଡିବ ।
