ଗୁଣି ସନ୍ଦେହରେ କଙ୍ଗାରୁ କୋର୍ଟ, ଗାଁଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼
ଭଦ୍ରକ : ସଭ୍ୟ ସମାଜରେ ଅସଭ୍ୟ କାଣ୍ଡ । ପୂରୁଣା ଜମିବାଡ଼ି ବିବାଦରୁ ଗୁଣି ଗାରେଡ଼ି ସହ ଗୁପ୍ତ ଧନ ପାଇଁ ବଳି ଭଳି ଅଭିଯୋଗରେ ମହିଳାଙ୍କୁ ନିସ୍ତୁକ ମାଡ । ଛୋଟରୁ ବଡ଼ କେହି ଛାଡ଼ିଲେନି । ବାଡ଼ି ଠେଙ୍ଗା , ଛାଞ୍ଚୁଣି ସହ ଶାବଳରେ ପିଟିବା ଅଭିଯୋଗ ହୋଇଛି । ଏମିତି କି ମେଡିକାଲ ଆସିବା ବେଳେ ଅଟୋରୁ ଭିଡ଼ି ନେଇ ପୁଣି ମାଡ ଅଭିଯୋଗ ହୋଇଛି। ଏଭଳି କିଛି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଣିତିଆ ଗାଁରେ।
ଏହି ଗାଁରେ ରୁହନ୍ତି ପ୍ରିୟତମା ମହାନ୍ତି । ଜମି ଜମା ବିବାଦ ପରେ ଗାଁ ବାହାରେ ଘର କରି ରହୁଥିଲେ । ଦୁଇ ପୁଅ ବାହାରେ ପାଠ ପଢୁଥିବା ବେଳେ ସ୍ବାମୀ ରାଜ୍ୟ ବାହାରେ ରହୁଥିଲେ । ତେବେ ପ୍ରିୟତମା ଘର ଭିତରେ ବଳୀ ଦେବା ପରେ ଗୁପ୍ତ ଧନ ପାଇଥିବା ଲୋକେ ସନ୍ଦେହ କରୁଥିଲେ । ତେବେ ପୂର୍ବ ଅପେକ୍ଷା ଚଳନୀ ଭଲ ଥିବାରୁ ଲୋକେ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ । ପ୍ରିୟତମାଙ୍କ ସମ୍ପର୍କୀୟ ନାବାଳିକାଙ୍କୁ ଠାକୁର ଲାଗିବା ପରେ ଗାଁ ଲୋକେ ପ୍ରିୟତମାଙ୍କୁ ଘରୁ ବାହାରକୁ ଆଣି ନିସ୍ତୁକ ମାଡ ମାରିବା ସହ ଘର ଭାଙ୍ଗି ଗହଣା ଓ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ପରେ ପ୍ରିୟତମାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଭାଇ ମେଡିକାଲ ଆଣିବା ବେଳେ ଅଟୋରୁ ଭିଡି ପୁଣି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଶେଷରେ ପୋଲିସ ପ୍ରିୟତମାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।
କିନ୍ତୁ ପୂରା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଘଟଣାକୁ ନେଇ ଭଦ୍ରକ ଏସପି ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । କିନ୍ତୁ ଘଟଣା ଜାଣିବା ପରେ ଗ୍ରାମାଞ୍ଚଳ ଥାନାଧିକାରୀଙ୍କୁ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଇନଜୀବୀଙ୍କ କହିବା କଥା ଏମିତି ସମ୍ବେଦନଶୀଳ ଘଟଣାରେ ପୋଲିସ ନିଜ ଆଡୁ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନେଇ ପାରି ଥାଆନ୍ତେ । ତେବେ ୨୦୧୩ ମସିହାରେ ଗୁଣି ଗାରେଡ଼ି ନିରୋଧ ଆଇନ ମଧ୍ୟ ପ୍ରଣୟନ ହୋଇଛି । ଏମିତି ଘଟଣାରେ ଆର୍ଥିକ ଦଣ୍ଡ ସହ ଜେଲ ଦଣ୍ଡ ମିଳିବାର ମଧ୍ୟ ବ୍ୟବସ୍ଥା ରହିଛି । ଆମେ ଶିକ୍ଷା କ୍ଷେତ୍ରରେ ବହୁ ଆଗୁଆ ହେଲେଣି । ଚନ୍ଦ୍ରରେ ପହଞ୍ଚି ଜାଗା କିଣି ସାରିଲେଣି କିନ୍ତୁ ଶିକ୍ଷିତ ସମାଜରେ ଏମିତି ଘଟଣା ମୁଣ୍ଡକୁ ନୁଆଁଇ ଦେଇଛି ।
