ଭୁଶୁଡ଼ିଲା ୩ ମହଲା କୋଠା; ଚାଲିଗଲା ୬ ଜୀବନ
ଅମ୍ବାଲା: ହରିଆଣାର ଅମ୍ବାଲା ସହର ନିକଟବର୍ତ୍ତୀ ଧୂଲକୋଟ ଗାଁରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ରୁ ଅଧିକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପୋଲିସକୁ ସୂଚନା ଦେଇଥିଲେ। ତେବେ ଅମ୍ବାଲାର ଜଣେ ଜଣାଶୁଣା ବ୍ୟବସାୟୀ ଏବଂ ସମ୍ପତ୍ତି ଡିଲରଙ୍କ ମାଲିକାନାରେ ଥିବା ଏକ ତିନି ମହଲା କୋଠାର ଛାତ ପାଇଁ କଂକ୍ରିଟ୍ ସ୍ଲାବ୍ ବିଛାଯାଉଥିବା ସମୟରେ ଏହି ଘଟଣା ଘଟିଥିଲା।
ଘଟଣା ସମୟରେ ପ୍ରାୟ ୨୫ ଜଣ ଶ୍ରମିକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ ଜଣ ତୃତୀୟ ମହଲାରେ କଂକ୍ରିଟ୍ ସ୍ଲାବ୍ ବିଛାଉଥିଲେ। ଯେତେବେଳେ କି ବାକିମାନେ ତଳ ମହଲାରେ ଥିଲେ। କୋଠାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିଲେ। ଅମ୍ବାଲା ପୋଲିସ ଅଧିକ୍ଷକ ଅଜିତ ସିଂହ ଶେଖାୱତ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଦୁର୍ଘଟଣା ପରେ NDRF, SDRF, ପୋଲିସ ଏବଂ ପ୍ରଶାସନର ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
