Yogi

ଚାଇନିଜ୍ ମାଞ୍ଜା ଦ୍ୱାରା ମୃତ୍ୟୁ ହେଲେ ହତ୍ୟା ବିବେଚନା କରାଯିବ: ଯୋଗୀ

Spread the love

ନୂଆଦିଲ୍ଲୀ : ନିଷିଦ୍ଧ ଚାଇନିଜ୍ ମାଞ୍ଜା ଦ୍ୱାରା ହେଉଥିବା ଯେକୌଣସି ମୃତ୍ୟୁକୁ ଏବେ ହତ୍ୟା ଭାବରେ ବିବେଚନା କରାଯିବ। ଆଜି ଏହା ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ନେଇ ରାଜ୍ୟବ୍ୟାପୀ ଚଢାଉ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଉଚ୍ଚ ସ୍ତରରେ ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି। ଲକ୍ଷ୍ନୌରେ ଚାଇନିଜ୍ ମାଞ୍ଜା ସୂତାରେ ଜଣେ ବ୍ୟକ୍ତିଙ୍କର ଗଳା କଟିବା ପରେ ଏହି ଚେତାବନୀ ଦିଆଯାଇଛି। ଗତ ଛଅ ମାସ ମଧ୍ୟରେ, ରାଜ୍ୟବ୍ୟାପୀ ସମାନ ଘଟଣାରେ ସାତ ଜଣ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶରେ ନିଷିଦ୍ଧ ଚାଇନିଜ୍ ମାଞ୍ଜା ସୂତା ଦ୍ୱାରା ହେଉଥିବା ମୃତ୍ୟୁ ଜାରି ରହିଥିବାବେଳେ ଅନେକ ଗୁରୁତର ହେଉଥିବା ମଧ୍ୟ ସୂଚନା ମିଳୁଛି।

ବୁଧବାର ବାଇକ୍ ଚଲାଉଥିବାବେଳେ ଚାଇନିଜ୍ ମାଞ୍ଜା ସୂଚନାରେ ଗଳା କଟି ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ମହମ୍ମଦ ସୋଏବ(୩୩) ବୋଲି ଜଣାପଡିଛି। ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିଛି। ୨୦୨୬ ମସିହାରେ ମେରଠରେ ମାଞ୍ଜା ସୂତା ଲାଗି ଅନେକ ଲୋକ ଗୁରୁତର ଆହତ ହୋଇଥିଲେ। ୨୦୨୫ ମସିହା ଅକ୍ଟୋବର ମାସରେ ଶାହଜାହାନପୁରର ରବି ଶର୍ମାଙ୍କ ମୃତ୍ୟୁ ହୋଇଥିଲା। ଜାନୁଆରୀ ୨୦୨୫ ମସିହାରେ ଡ୍ୟୁଟିରେ ଥିବା ଜଣେ କନଷ୍ଟେବଳ ଶାହରୁଖ ହାସନ ମଧ୍ୟ ଚାଇନିଜ୍ ମାଞ୍ଜା ସୂଚନା ଲାଗି ପ୍ରାଣ ହରାଇଥିଲେ। ସେପ୍ଟେମ୍ବର ୨୦୨୫ ମସିହାରେ ଆଲିଗଡ଼ରେ ସଲମାନ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ଏହାର ବିକ୍ରୟ ଏବଂ ବ୍ୟବହାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *