Chirag paswan file photo 1068x712

ଚିରାଗ ଏନ୍‌ଡିଏ ଆସନ ବୁଝାମଣାରେ କଣ୍ଟା

Spread the love

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଶାସକ ଏନଡିଏ ଓ ବିରୋଧୀ ମହାମେଣ୍ଟ ଆସନ ବୁଝାମଣା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ ବୁଝାମଣା ପ୍ରକ୍ରିୟା ଶେଷ ପରେ ମେଣ୍ଟର ଅଂଶୀଦାର ଦଳଗୁଡିକ ସେମାନଙ୍କର ପ୍ରାର୍ଥୀ ଘୋଷଣା ଆରମ୍ଭ କରିବେ। ଇତି ମଧ୍ୟରେ ଏନଡିଏ ଏହାର ଆସନ ବୁଝାମଣା ପାଇଁ କଥାବାର୍ତ୍ତା ଆରମ୍ଭ କରିଛି। ବିହାର ପାଇଁ ବିଜେପିର ନିର୍ବାଚନ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ବିନୋଦ ତାୱଡେ ଆସନ ବୁଝାମଣା ପ୍ରସଙ୍ଗରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାଶ୍ବାନଙ୍କୁ ଭେଟିଛନ୍ତି। ଆଞ୍ଚଳିକ ଦଳ ଭାବେ ଚିରାଗଙ୍କର ବିହାରରେ ପ୍ରଭାବ ରହିଥିବାରୁ ସେ ଏହି ନିର୍ବାଚନରେ ୪୦ରୁ ୪୫ଟି ଆସନ ଦାବି କରିଛନ୍ତି।

ତେବେ ଚିରାଗଙ୍କୁ ଏତେ ସଂଖ୍ୟକ ଆସନ ଦେବାକୁ ବିଜେପି ନାରାଜ। କାରଣ ଏନଡିଏ ମେଣ୍ଟରେ ବିଜେପି ସହିତ ନୀତୀଶ କୁମାରଙ୍କ ଜେଡିୟୁ ବଡ ଅଂଶୀଦାର ରହିଛନ୍ତି। ଚିରାଗଙ୍କ ଏଲଜେପିକୁ ବିଜେପି ସର୍ବାଧିକ ୨୫ଟି ଆସନ ଦେବାକୁ ପ୍ରସ୍ତୁତ ଥିବା ବେଳେ ଏହା ୪୦ରୁ ୪୫ ଆସନ ଦାବି କରିବାରୁ ଏହା ଆସନ ବୁଝାମଣା ପାଇଁ ବଡ କଣ୍ଟା ହୋଇଛି। ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏର ସହଯୋଗୀ ଦଳ ଭାବେ ବିହାରର ୫ଟି ସଂସଦୀୟ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା କରି ସମସ୍ତ ଆସନରେ ବିଜୟୀ ହୋଇଥିଲା। ତେଣୁ ଏହି ସଫଳତା ଆଧାରରେ ଚିରାଗ ୪୦ରୁ ୪୫ ଆସନ ଦାବି କରିଛନ୍ତି। ତେବେ ଚିରାଗଙ୍କୁ ମନାଇବା ଲାଗି ପୁଣି ତାଙ୍କ ସହିତ ବିଜେପି ନେତା ଦ୍ବୟ ଆଲୋଚନା କରିବେ।

ଅନ୍ୟପଟେ ଚିରାଗ କହିଛନ୍ତି ଯେ ଆସନ ବୁଝାମଣାକୁ ନେଇ ଏନଡିଏରେ କୌଣସି ମତଭେଦ ନାହିଁ। ଆସନ ବୁଝାମଣା ପାଇଁ ଏବେ କଥାବାର୍ତ୍ତା ଠିକ୍‌ ବାଟରେ ଚାଲିଛି। ମୋର ବିଶ୍ବାସ ଯେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ। ଆଲୋଚନା ଶେଷ ପରେ ସମସ୍ତ ତଥ୍ୟ ଆପଣମାନଙ୍କୁ ଦିଆଯିବ ବୋଲି ଚିରାଗ ସାମ୍ବାଦିକଙ୍କୁ କହିଛନ୍ତି। ତେବେ ଚିରାଗ କହିଛନ୍ତି ଯେ ଆମ ଦଳର ଗୋଟିଏ ଲକ୍ଷ୍ୟ ହେଉଛି ବିହାର ଓ ବିହାରୀଙ୍କୁ ପ୍ରଥମ କରିବା। ବିହାର ନିର୍ବାଚନ ପାଇଁ ଏନଡିଏରେ ବିଜେପି, ଜେଡିୟୁ, ଏଲଜେପି (ରାମବିଳାସ), ଉପେନ୍ଦ୍ର ଖୁସୱାହଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି, ବିକାଶଶୀଳ ଇନ୍‌ସାନ୍‌ ପାର୍ଟି ଓ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା (ହାମ୍) ଅଂଶୀଦାର ରହିଛନ୍ତି।

Leave a Reply

Your email address will not be published. Required fields are marked *