Trump 3

ହ୍ବାଇଟ୍ ହାଉସରେ ଏକାଠି ହେଲେ ଟ୍ରମ୍ପ-ଜେଲେନସ୍କି, ଯୁଦ୍ଧ ବିରତି ନେଇ ଆଲୋଚନା

Spread the love

ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ୟୁରୋପୀୟ ନେତାମାନଙ୍କ ସହ ସାକ୍ଷାତ କରିଛନ୍ତି । ହ୍ୱାଇଟ୍ ହାଉସରେ ଗୁରୁତ୍ୱପୂର୍ଣ୍ଣ ବୈଠକଟ୍ରମ୍ପ ଏହାକୁ ‘ସଫଳ ଦିନ’ ବୋଲି କହିଥିଲେ, କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା ଯେତେବେଳେ ସେ ବୈଠକ ବାଧାପ୍ରାପ୍ତ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ୍ କରିଥିଲେ । ସୂତ୍ରକୁ ଉଦ୍ଧାର କରି ସିଏନଏନ ଏହି ସୂଚନା ଦେଇଛି ।

ଏଥିସହ ଆଲାସ୍କାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗତ ଶୁକ୍ରବାର ଭେଟି ପ୍ରାୟ ୩ ଘଣ୍ଟା ଆଲୋଚନା କରିବାର ୩ ଦିନ ପରେ ଜେଲେନସ୍କିଙ୍କ ସହ ସାକ୍ଷାତ୍ ଯୁଦ୍ଧ ବନ୍ଦ କରିବାର ଆଶାକୁ ବଢ଼ାଇ ଦେଇଛି । ଉଭୟ ନେତା ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ମିଶି ଏକ ତ୍ରିପାକ୍ଷିକ ଆଲୋଚନା କରିବା ପାଇଁ ସହମତି ଜଣାଇଛନ୍ତି । ଟ୍ରମ୍ପ ଆଜି ମଧ୍ୟ ତାଙ୍କ ପୁରୁଣା ଦାବିକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ, ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ତୁରନ୍ତ ଅସ୍ତ୍ରବିରତି ଆବଶ୍ୟକ ନୁହେଁ । କିନ୍ତୁ ଯୁଦ୍ଧର ଅବସାନ ଶୀଘ୍ର ହେବା ଆବଶ୍ୟକ । ଭବିଷ୍ୟତରେ ୟୁକ୍ରେନର ସୁରକ୍ଷା ଗ୍ୟାରେଣ୍ଟି ଦେବା ପାଇଁ ଟ୍ରମ୍ପ ରାଜି ହୋଇଛନ୍ତି । ତାହା ଯୁଦ୍ଧ ବନ୍ଦ ହେବାକୁ ଥିବା ଶାନ୍ତି ରାଜିନାମାର ଏକ ଅଂଶ ହେବ । ଜେଲନସ୍କିଙ୍କ ଉପସ୍ଥିତିରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ୟୁକ୍ରେନକୁ ପ୍ରଥମ ଧାଡ଼ିର ସୁରକ୍ଷା ୟୁରୋପୀୟ ଦେଶଗୁଡ଼ିକ ଯୋଗାଇ ଦେବେ । କାରଣ ସେମାନେ ସେଠାରେ ଅବସ୍ଥିତ । ଆମେ ମଧ୍ୟ ୟୁକ୍ରେନର ସୁରକ୍ଷାରେ ସାମିଲ ହେବୁ ।

ଏହି ସାକ୍ଷାତ ବେଶ୍ ସକାରାତ୍ମକ ପରିବେଶରେ ଆରମ୍ଭ ହୋଇଥିଲା । ଜେଲେନସ୍କିଙ୍କୁ ସ୍ବାଗତ କରିବା ବେଳେ ତାଙ୍କ ପୋଷାକକୁ ଟ୍ରମ୍ପ ପ୍ରଶଂସା କରିଥିଲେ। ୟୁକ୍ରେନର ପ୍ରଥମ ମହିଳା ଦେଇଥିବା ଚିଠିକୁ ଜେଲେନସ୍କି ଟ୍ରମ୍ପଙ୍କୁ ପ୍ରଦାନ କରିଥିଲେ । ତେବେ ଏହି ଚିଠି ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜେଲେନସ୍କି କହିଥିଲେ । ଜେଲେନସ୍କି ମଧ୍ୟ ପୁଟିନଙ୍କ ସହ ତ୍ରିପାକ୍ଷିକ ଆଲୋଚନା ପାଇଁ ରାଜିଥିବା କହିଛନ୍ତି । ଦେଶରେ ଯୁଦ୍ଧ ଚାଲିଥିଲେ ମଧ୍ୟ ନିର୍ବାଚନ କରିବାକୁ ସେ ଏବଂ ତାଙ୍କ ଦେଶ ରାଜିଥିବା ସୂଚନା ଦେଇଛନ୍ତି । ଯୁଦ୍ଧ ବନ୍ଦ ପାଇଁ ବ୍ୟକ୍ତିଗତ ଉଦ୍ୟମ ଚଳାଇଥିବାରୁ ଜେଲେନସ୍କି ହ୍ବାଇଟ୍ ହାଉସ୍ରେ ପହଞ୍ଚିବା ପରେ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ଟ୍ରମ୍ପଙ୍କ ସହ ଆଲୋଚନା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଜେଲେନସ୍କି ଉଲ୍ଲେଖ କରିଥିଲେ ଯେ ରୁଷ୍କୁ ଶାନ୍ତି ପାଇଁ ବାଧ୍ୟ କରିବା କ୍ଷମତା କେବଳ ଆମେରିକାର ହିଁ ରହିଛି ।

ଏଥିସହ ଜାଣିରଖନ୍ତୁ ଯେ, ରୁଷ ୟୁକ୍ରେନର ୨୦ ପ୍ରତିଶତ ଅଞ୍ଚଳ ନିଜ ଅଧୀନକୁ ନେଇସାରିଛି । ରବିବାର ଟ୍ରମ୍ପ ଦେଇଥିବା ସୂଚନା ଅନୁଯାୟୀ, ୟୁକ୍ରେନର କ୍ରିମିଆ ଅଞ୍ଚଳକୁ ରୁଷ ୨୦୧୪ରେ ବେଆଇନ ଭାବେ ନେଇ ନିଜ ଦେଶରେ ମିଶାଇଛି । ତାହାକୁ ମଧ୍ୟ ୟୁକ୍ରେନକୁ ଗ୍ରହଣ କରିବାକୁ ପଡ଼ିବ । ହ୍ବାଇଟ୍ ହାଉସରେ ଟ୍ରମ୍ପ ଜେଲେନସ୍କି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ୟୁରୋପର ଅନ୍ୟ ନେତାମାନଙ୍କୁ ଭେଟୁଥିବା କାରଣରୁ ୱାସିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ୬ ମାସ ପୂର୍ବେ ଗତ ଫେବ୍ରୁଆରିରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଉଚ୍ଚବାଚ ଓ କଥା କଟାକଟି ହୋଇଥିଲା । ଏପରିକି ଜେଲନସ୍କିଙ୍କୁ ଟ୍ରମ୍ପ ଆମେରିକା ପ୍ରତି ଅକୃତଜ୍ଞ ବୋଲି ମଧ୍ୟ କହିଥିଲେ । କିନ୍ତୁ ଆଜିର ବୈଠକରେ ଉଭୟ ନେତା ମାର୍ଜିତ ଢଙ୍ଗରେ କଥା ହେବା ସହିତ ଖୁସି ଥିବା ଜଣାପଡ଼ୁଥିଲେ ।

ୟୁକ୍ରେନ-ରୁଷ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ପାଇଁ ହ୍ବାଇଟ୍ ହାଉସରେ ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାରମର୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜର୍ମାନୀ ଚାନସେଲର ଫ୍ରେଡରିକ ମର୍ଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଫିନଲାଣ୍ଡ୍ ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବ୍ଙ୍କ ସମେତ ୟୁରୋପୀୟ କମିସନ ସଭାପତି ଉର୍ସୁଲା ଭନ ଡେର୍ ଲେୟେନ, ନାଟୋ ମହାସଚିବ ମାର୍କ ରୁଟେ ପହଞ୍ଚିଛନ୍ତି । ଟ୍ରମ୍ପ ଓ ଜେଲେନସ୍କିଙ୍କ ସହ ସେମାନଙ୍କର ଆଲୋଚନା ହୋଇଛି । ଜେଲେନସ୍କିଙ୍କ ସହ ଆଲୋଚନା କରିବା ପରେ ଟ୍ରମ୍ପ ୟୁରୋପୀୟ ନେତାମାନଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ ।

Leave a Reply

Your email address will not be published. Required fields are marked *