ଉପରାଷ୍ଟ୍ରପତି ନିର୍ବାଚନ: ମୁସଲିମ ନେତାଙ୍କୁ ଏନଡିଏ ପ୍ରାର୍ଥୀ କରିପାରେ

Spread the love

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଏବେ ପ୍ରସ୍ତୁତି ଜୋରଦାର କରିଛି। ଆଗାମୀ ୯ ସେପ୍ଟେମ୍ବରରେ ନିର୍ବାଚନ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ୨୧ ଅଗଷ୍ଟ। କିନ୍ତୁ ଏନଡିଏର ପ୍ରାର୍ଥୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ବିଜେପି ନେତୃତ୍ୱାଧୀନ ଏନଡିଏ ଗଠବନ୍ଧନରେ ପ୍ରାର୍ଥୀ ଚୟନ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିରେ ବିହାରର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନାମ ଆଲୋଚନାରେ ରହିଛି। ସେ ପୂର୍ବରୁ କେରଳର ରାଜ୍ୟପାଳ ଥିଲେ। ତାଙ୍କ ନିଷ୍ପତ୍ତି ଓ କାର୍ଯ୍ୟଧାରା ଶାସକ ଦଳକୁ ବେଶ ସୁହାଇଥାଏ। ସୋସିଆଲ ମିଡିଆରେ ତାଙ୍କୁ ଏନଡିଏର ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଛି।

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ପଦ ଖାଲି ହୋଇଛି। ସେ ୨୧ ଜୁଲାଇରେ ସ୍ୱାସ୍ଥ୍ୟ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ପର୍ଯ୍ୟନ୍ତ ଥିଲା। କିଛି ରିପୋର୍ଟରେ ସରକାର ସହ ତାଙ୍କର ମତାନ୍ତର ହେବା ଇସ୍ତଫାର କାରଣ ବୋଲି କୁହାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଜେପି ନଡ୍ଡା ମଙ୍ଗଳବାର ଏନଡିଏର ପ୍ରାର୍ଥୀ ଚୟନ କରିବେ। ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ମୋଦୀ ଓ ନଡ୍ଡା ଚୟନ କରିଥିବା ପ୍ରାର୍ଥୀଙ୍କୁ ଏନଡିଏ ସହଯୋଗୀଙ୍କ ସମର୍ଥନ ମିଳିବ।

ନିର୍ବାଚନ କମିଶନଙ୍କ କାର୍ଯ୍ୟକ୍ରମ ଅନୁଯାୟୀ, ୯ ସେପ୍ଟେମ୍ବରରେ ଭୋଟ ହେବ ଓ ସେହିଦିନ ଫଳାଫଳ ଘୋଷଣା ହେବ। ନାମାଙ୍କନ ପତ୍ର ଯାଞ୍ଚ ୨୨ ଅଗଷ୍ଟରେ ହେବ।

Leave a Reply

Your email address will not be published. Required fields are marked *