Wr

ଇଂ. ହରିହର ତ୍ରିପାଠୀଙ୍କ ପୁସ୍ତକ ‘ମୁଁ ଆସୁଛି ତୁମ ପାଖକୁ’ ଲୋକାର୍ପିତ

Spread the love

ଭୁବନେଶ୍ୱର: “ମତେ ନିଜ ଭିତରେ ଅନୁଭବ କର। ନିଜର ପରିବେଶକୁ ମନ୍ଦିର କରିଦିଅ | ପ୍ରକୃତିର ସୁରକ୍ଷା ଭିତରେ ମୋର ଉପାସନା କର | ଦୁଃଖି-ଭୋକିର ସେବା ହିଁ ମୋର ଶ୍ରେଷ୍ଠ ନୈବେଦ୍ୟ।” – ଏହା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଜସ୍ୱ ଅଭିବ୍ୟକ୍ତି, ଯାହାକୁ ନେଇ ସୁଲେଖକ ଇଂ. ହରିହର ତ୍ରିପାଠୀଙ୍କ ନୂତନ ପୁସ୍ତକ ‘ମୁଁ ଆସୁଛି ତୁମ ପାଖକୁ’ ରଚିତ। ରବିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଜାତୀୟ ଅଭିଲେଖାଗାର ସଭାଗୃହରେ ଏହି ପୁସ୍ତକଟି ଲୋକାର୍ପିତ ହୋଇଯାଇଛି।

ପୂଜ୍ୟପୂଜା, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ସେ କହିଥିଲେ, “ଏହି ପୁସ୍ତକଟି କେବଳ ଏକ ସାହିତ୍ୟ କୃତି ନୁହେଁ, ବରଂ ଏହା ଆଧ୍ୟାତ୍ମିକ ଚେତନାର ଏକ ନୂତନ ଦିଗନ୍ତ। ଧର୍ମ ନାମରେ ବାହ୍ୟ ଆଡ଼ମ୍ବର ପରିବର୍ତ୍ତେ ନିଜ ଭିତରେ ଈଶ୍ୱରଙ୍କୁ ଖୋଜିବାର ବାର୍ତ୍ତା ଏଥିରେ ରହିଛି।”

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଶ୍ରୀ ପ୍ରସନ୍ନ କୁମାର ମିଶ୍ର ପୁସ୍ତକର ବିଭିନ୍ନ ଆଲେଖ୍ୟରୁ ଉଦ୍ଧୃତି ଦେଇ କହିଲେ, “ଲେଖକ ମହାପ୍ରଭୁଙ୍କ ମୁଖରେ ଆଜିର ସମାଜକୁ ଏକ ଅପ୍ରିୟ ସତ୍ୟ ସନ୍ଦେଶ ଦେଇଛନ୍ତି। ଈଶ୍ୱରଙ୍କୁ କାଠ ମୂର୍ତ୍ତି ଭିତରେ ଆବଦ୍ଧ ନ କରି, ତାଙ୍କୁ ସୃଷ୍ଟିର କଣେ କଣେ ଅନୁଭବ କରିବାକୁ ଏଥିରେ ଆହ୍ୱାନ ଦିଆଯାଇଛି।”

184c579a F97e 4bc5 Ac32 6c42ea6c3ac1

ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଶ୍ରୀ ଅମ୍ବିକା କାନୁନଗୋ କହିଥିଲେ, “ନବକଳେବର ବିଭ୍ରାଟଠାରୁ ଆରମ୍ଭ କରି ସେବାୟତଙ୍କ ମନମୁଖୀ କାର୍ଯ୍ୟ ପର୍ଯ୍ୟନ୍ତ, ସମସ୍ତ ବିଷୟକୁ ଲେଖକ ନିର୍ଭୀକ ଭାବେ ଜଗନ୍ନାଥଙ୍କ ଅଭିବ୍ୟକ୍ତି ମାଧ୍ୟମରେ ଉପସ୍ଥାପନ କରିଛନ୍ତି, ଯାହା ପ୍ରତ୍ୟେକ ଓଡ଼ିଆର ଭାବାବେଗକୁ ପ୍ରତିଫଳିତ କରେ।”

ଜାତୀୟ ଅଭିଲେଖାଗାରର ସହକାରୀ ନିର୍ଦ୍ଦେଶକ ତଥା ବିଶିଷ୍ଟ ଗବେଷକ ସତ୍ୟ ନାରାୟଣ ମିଶ୍ର ଏବଂ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁକାନ୍ତ ପ୍ରଧାନ ପୁସ୍ତକ ସମ୍ପର୍କରେ ଅଭିମତ ରଖିଥିଲେ |

ଏହି ଉତ୍ସବରେ ପୂଜ୍ୟପୂଜାର ସଭାପତି ଶ୍ରୀ ବିରଜାପ୍ରସାଦ ଶତପଥୀ ସଭାପତିତ୍ୱ କରିଥିଲେ। ସଂପାଦକ ଶ୍ରୀ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିବା ସହ ସଭାକାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ। ପୁସ୍ତକର ପ୍ରକାଶକ କ୍ରିଏଟିଭର ପରିଚାଳାକ ନିମାଇଁଚରଣ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ | ଉତ୍ସବରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ପାଠକ ଯୋଗ ଦେଇଥିଲେ।

 

Leave a Reply

Your email address will not be published. Required fields are marked *