Manmohan Samal 1068x601

ନିଗମ ଓ ବୋର୍ଡରେ ନେତାଙ୍କ ଥଇଥାନ ଖୁବଶୀଘ୍ର

Spread the love

ଭୁବନେଶ୍ୱର : ପ୍ରଥମେ ବୋର୍ଡ ଓ ନିଗମରେ ନେତାଙ୍କୁ ଥଇଥାନ କରାଯିବ। ତା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଚଳିତ ମାସ ନିଗମ, ବୋର୍ଡ ଅଧ୍ୟକ୍ଷ ପଦରେ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହେବ। ରାଖୀ ପୂର୍ଣ୍ଣମୀ ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସ୍ବଳ୍ପଦିନର ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ଘନ ଘନ ଦିଲ୍ଲୀ ଗସ୍ତ ପରେ ମଧ୍ୟ ମନ୍ତ୍ରିମଣ୍ଡଳ ପୁନର୍ଗଠନ କିମ୍ବା ନେତାଙ୍କ ଥଇଥାନ ନିଷ୍ପତ୍ତି ହୋଇପାରି ନଥିବା ବେଳେ ଆଜି ରାଜ୍ୟସଭାପତିଙ୍କ ମନ୍ତବ୍ୟରୁ ଖୁବ୍‌ଶୀଘ୍ର କିଛି ବଡ଼ ପରିବର୍ତ୍ତନର ଆଭାସ ମିଳୁଛି।
ଗଣମାଧ୍ୟମକୁ ଶ୍ରୀ ସାମଲ କହିଥିଲେ ଯେ, ମନ୍ତ୍ରିମଣ୍ଡଳ ହେଉ ଅବା ନିଗମ କିମ୍ବା ବୋର୍ଡର ତାଲିକା ଦିଲ୍ଲୀରେ ନୁହେଁ, ଓଡ଼ିଶାରେ ପ୍ରସ୍ତୁତ ହୁଏ। ଦିଲ୍ଲୀଗସ୍ତ ଏକ ସ୍ବାଭାବିକ ପ୍ରକ୍ରିୟା। ସେଠାରେ ବରିଷ୍ଠ ନେତୃତ୍ବଙ୍କ ଠାରୁ ନେଇ ସାଂସଦ, କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଓ ମୋର ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ୧୫/୨୦ ତାରିଖ ପରେ ବୋର୍ଡ, ନିଗମ ନିଯୁକ୍ତି ସମ୍ପର୍କରେ ଆଲୋଚନା କରି ବିଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି।
ମୋହନ ଚରଣ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ଏବେ ୬ଟି ମନ୍ତ୍ରିପଦ ଖାଲି ଥିବାବେଳେ ଅନେକଙ୍କୁ ଏକାଧିକ ବିଭାଗର ଦାୟିତ୍ବ ଦିଆଯାଇଛି। ସେହିପରି ବର୍ଷେରୁ ଅଧିକ ସମୟ ହେଲା ବୋର୍ଡ, ନିଗମରେ ମୁଖିଆ ପଦ ଖାଲି ପଡ଼ିଛି। ନିକଟରେ ରାଜ୍ୟ ସରକାର ରାଜ୍ୟ ମହିଳା ଆୟୋଗ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ତଥା ସଦସ୍ୟ ପଦ ପୂରଣ କରିଛନ୍ତି। ସେହିଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ରାଜ୍ୟ ସଭାପତି ପୁନର୍ବାର ଦିଲ୍ଲୀ ଗସ୍ତ କରିଥିଲେ। ଏହାକୁ ନେଇ ନିଗମ, ବୋର୍ଡ ପଦକୁ ଚାହିଁ ରହିଥିବା ନେତାଙ୍କ ହୃଦସ୍ପନ୍ଦନ ବଢ଼ି ଯାଇଛି। ପ୍ରଥମେ ସାଂଗଠନିକ ପୁନର୍ବିନ୍ୟାସ, ତା ପରେ ଯାଇ ମନ୍ତ୍ରିମଣ୍ଡଳ ଏବଂ ନିଗମ ନିଯୁକ୍ତି ହେବ ବୋଲି କିଛି ଦିନ ପୂର୍ବେ ରାଜ୍ୟ ସଭାପତି ଓ ରାଜ୍ୟ ପ୍ରଭାରୀ ଗଣମାଧ୍ୟମକୁ କହିଥିଲେ। ଏବେ ଦିଲ୍ଲୀ ଗସ୍ତରୁ ଫେରିବା ପରେ ରାଜ୍ୟ ସଭାପତି ନିଗମ, ବୋର୍ଡ ନିଯୁକ୍ତି ସମ୍ପର୍କରେ ବୟାନ ଦେବା ଦଳୀୟ ପାଣିପାଗକୁ ବେଶ୍ ସରଗରମ କରିଛି।

Leave a Reply

Your email address will not be published. Required fields are marked *