Soumyashree2

ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: ୭ଦିନ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

Spread the love

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ୟୁଜିସି ପକ୍ଷରୁ ଏନେଇ ମଙ୍ଗଳବାର ନିର୍ଦ୍ଦେଶନାମା ଜାରି ହୋଇଛି।

ନୂଆଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟ ଓ ୟୁଜିସି ସଦସ୍ୟ ପ୍ରଫେସର ରାଜ୍ ମିତ୍ତଲ ଏହି କମିଟିର ଅଧ୍ୟକ୍ଷତାରେ କରିବେ। ଏହି କମିଟିରେ ଅନ୍ୟ ୩ ଜଣଙ୍କୁ ସାମିଲ କରାଯାଇଛି। ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ସୁଷମା ଯାଦବ, ଅହମଦାବାଦସ୍ଥିତ ଗୁଜରାଟ ବିଶ୍ବବିଦ୍ୟାଳୟର କୁଳପତି ଡ. ନୀର୍ଜା ଗୁପ୍ତା ସଦସ୍ୟ ରହିଥିବା ବେଳେ ୟୁଜିସିର ଯୁଗ୍ମ ସଚିବ ଡ. ଅସୀମା ମଙ୍ଗଳା ସଂଯୋଜକ ଅଧିକାରୀ ଅଛନ୍ତି। ଏହି କମିଟିର ସଦସ୍ୟମାନେ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବ ଏବଂ ଏହାକୁ ୭ଦିନ ଭିତରେ ଦାଖଲ କରିବେ।

ସୂଚନାଯୋଗ୍ୟ, କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ପଳାସିଆ ମଶାଣିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୀଡିତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପୂର୍ବରୁ ପରିବାରରେ କାନ୍ଦବୋବାଳି ଦେଖାଯାଇଥିଲା। ପୀଡିତାଙ୍କ ଗାଁ ସ୍ତବ୍ଧ ହୋଇପଡ଼ିଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅଶ୍ରୁଳ ଲୁହରେ ସୌମ୍ୟାଶ୍ରୀଙ୍କୁ ବିଦାୟ ଦିଆଯାଇଥିଲା। ଏହି ଘଟଣା ନେଇ ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି।

Leave a Reply

Your email address will not be published. Required fields are marked *