Z

ବିଜେପିର ସାଙ୍ଘାତିକ ଅଭିଯୋଗ: ବାଲେଶ୍ବର ଛାତ୍ରୀ ଘଟଣା ପଛରେ କଂଗ୍ରେସର ହାତ

Spread the love

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜ ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏବେ ଶାସକ ବିଜେପି ସାଙ୍ଘାତିକ ଅଭିଯୋଗ ଆଣିଛି। ଏହି ଘଟଣା ପଛରେ ଛାତ୍ର କଂଗ୍ରେସର ହାତ ରହିଛି ବୋଲି ବିଜେପି ଅଭିଯୋଗ କରିଛି। ନିଜ ଜୀବନ ନେବାକୁ ଉଦ୍ୟମ କରିବା ପାଇଁ ଛାତ୍ର କଂଗ୍ରେସ ନେତାମାନେ ଛାତ୍ରୀଙ୍କୁ ଉସୁକାଇ ଥିବାର ପ୍ରମାଣ ସୋସିଆଲ ମିଡିଆରେ ଆସି ସାରିଛି ବୋଲି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଗୁରୁତର ଅଭିଯୋଗ ଆଣିଛନ୍ତି।
ଛାତ୍ର କଂଗ୍ରେସର ବାଲେଶ୍ବର ଜିଲ୍ଲା ସମ୍ପାଦକ ସୌରଭ ବେହେରାଙ୍କ ଆଡ଼କୁ ଏନେ ଆଙ୍ଗୁଳି ଉଠାଯାଇଛି । ୧ ଜୁଲାଇରେ ଛାତ୍ରୀ ଜଣଙ୍କ ଯେତେବେଳେ ଅଭିଯୋଗ କରିଥିଲେ, ସୌରଭ ବେହେରା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଯେ, ଛାତ୍ରୀଙ୍କ ଅଭିଯୋଗ ମିଥ୍ୟା। ଉପସ୍ଥାନ କମ୍ ଯୋଗୁ ରାଜନୀତି କରିହେବ ନାହିଁ। ଏହା ମିଛ ଅଭିଯୋଗ।
ସେହିପରି ଅନ୍ୟ ଜଣେ କର୍ମୀ ମଧ୍ୟ ଆତ୍ମହତ୍ୟା କରିଦିଅ ବୋଲି ଲେଖିଥିବା ବିରଞ୍ଚି ଅଭିଯୋଗ କରିଛନ୍ତି । ସେମାନଙ୍କ ଉପରେ କଂଗ୍ରେସ କ’ଣ କାର୍ଯ୍ୟନୁଷ୍ଠାନ ନେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଦିଲ୍ଲୀରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀର ଜବାବରେ ବିଜେପି ଏଭଳି ପ୍ରଶ୍ନ ପଚାରିଛି।
ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କଂଗ୍ରେସ ରାଜନୀତି କରୁଛି। ‘ଗୋଦାରୀ ଲୋ ନିଜ ଗୋଡ଼କୁ ଅନା’ ଭଳି ନାରୀ ନିର୍ଯାତନା ଉପରେ କଂଗ୍ରେସର କହିବାର ଅଧିକାର କେଉଁଠୁ ଆସିଲା ବୋଲି ବରିଞ୍ଚି ପ୍ରଶ୍ନ କରିବା ସହିତ କଟାକ୍ଷ କରିଛନ୍ତି। କଂଗ୍ରେସ ସମୟରେ ଛବି ରାଣୀ ହତ୍ୟାକାଣ୍ଡ, ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ, ଦିଲ୍ଲୀର ନୈନା ସାହାଣୀ ଘଟଣା ଘଟିଛି। ସବୁଥିରେ କଂଗ୍ରେସ କର୍ମୀ ଓ ନେତାଙ୍କ ହାତ ଥିଲା । ଏହା ହିଁ କଂଗ୍ରେସ ଶାସନର ଇତିହାସ।
ପୂର୍ବରୁ କଂଗ୍ରେସ ଅମଳରେ ଏସବୁ ଘଟଣା ଘଟିଥିଲେ ମଧ୍ୟ କଂଗ୍ରେସ ସରକାର ଏସବୁକୁ ଗୁରୁତର ସହ ନେଇ ନଥିଲେ। ମାତ୍ର ଆମ ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି।

Leave a Reply

Your email address will not be published. Required fields are marked *