ସିଜୁଆରେ ସବୁଜିମା ସୃଷ୍ଟି ପାଇଁ ମିଳିତ ପ୍ରୟାସ: ଲାୟନ୍ସ କ୍ଲବ ଓ ମା ଭୁଆସୁଣୀ କମିଟି ପକ୍ଷରୁ ବୃକ୍ଷରୋପଣ
ସିଜୁଆ, ୧୩/୭: ପରିବେଶ ସୁରକ୍ଷା ଦିଗରେ ଏକ ମହତ ପଦକ୍ଷେପ ସ୍ୱରୂପ, ରବିବାର ଦିନ ଲାୟନ୍ସ କ୍ଲବ ଏବଂ ମା ଭୁଆସୁଣୀ ଆଞ୍ଚଳିକ ଉନ୍ନୟନ କମିଟିର ମିଳିତ ଆନୁକୂଲ୍ୟରେ ସିଜୁଆସ୍ଥିତ ହନୁମାନ ମନ୍ଦିର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। “ଆସନ୍ତୁ ଚାରାଟିଏ ଲଗାଇବା” ବାର୍ତ୍ତାକୁ ପାଥେୟ କରି ଉଭୟ ସଙ୍ଗଠନର ସଦସ୍ୟମାନେ ପରିବେଶ ଉପଯୋଗୀ ବହୁ ସଂଖ୍ୟକ ବୃକ୍ଷ ରୋପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବର ସଭାନେତ୍ରୀ ପୂର୍ଣ୍ଣିମା ରାଣୀ ପ୍ରଧାନ, ପୂର୍ବତନ ସଭାପତି ଦୁର୍ଗାମାଧବ ମିଶ୍ର, ଏବଂ କିଶୋର ଚନ୍ଦ୍ର କର ପ୍ରମୁଖ ଯୋଗ ଦେଇ ନିଜ ହାତରେ ଚାରା ରୋପଣ କରି ଏହି ମହତ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

ମା ଭୁଆସୁଣୀ ଆଞ୍ଚଳିକ ଉନ୍ନୟନ କମିଟିର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ସ୍ୱାଇଁ ନିଜ ବକ୍ତବ୍ୟରେ କହିଥିଲେ, “ଆଜିକାଲି ଆମେ ଯୁଆଡ଼େ ଚାହିଁଲେ କେବଳ କଂକ୍ରିଟ ଜଙ୍ଗଲ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ପରିବେଶ ସୁରକ୍ଷା ସହ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ହିଁ ପ୍ରାକୃତିକ ପରିବେଶକୁ ବଞ୍ଚାଇ ରଖାଯାଇପାରିବ।”

କମିଟିର ସମ୍ପାଦିକା ଶ୍ରୀମତୀ ଦୀପ୍ତିମୟୀ କର, “ଗଛର ଯତ୍ନ, ମାର ଯତ୍ନ” ଭଳି ଏକ ସମ୍ବେଦନଶୀଳ ବାର୍ତ୍ତା ଦେଇ କହିଥିଲେ ଯେ, “ଆମକୁ ଆମର ଭବିଷ୍ୟତ ପିଢ଼ି କଥା ଚିନ୍ତା କରିବାକୁ ପଡ଼ିବ। ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା, ନିଜ ମା’ର ଯତ୍ନ ନେବା ସହ ସମାନ।” ତାଙ୍କର ଏହି ବକ୍ତବ୍ୟ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା।
ଆଞ୍ଚଳିକ କମିଟିର ସଦସ୍ୟ ଶ୍ରୀ ପୂଲିନ ବିହାରୀ ଜେନା ସମଗ୍ର କାର୍ଯ୍ୟକ୍ରମର ସୁନ୍ଦର ଭାବେ ସଂଯୋଜନା କରିଥିବା ବେଳେ କ୍ଲବର ପୂର୍ବତନ ସଭାପତି ଶ୍ରୀ ବିଜୟ କେତନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି।
