Untitled 1 Copy

ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମହିଳା ଟିମ୍: ଓଡ଼ିଶାରେ ନାରୀମାନେ ଡରି ଡରି ବଞ୍ଚୁଛନ୍ତି

Spread the love

ଭୁବନେଶ୍ବର: ରାଜ୍ୟର ପ୍ରତି ୫ କି.ମି ଦୂରତାରେ ଜଣେ ଶିଶୁ ଅତ୍ୟାଚାରର ଶିକାର। ପ୍ରତି ୧୦ କିମିରେ ଜଣେ ଶିଶୁ ନିଖୋଜ। ଲୋକେ ରାଜରାସ୍ତାକୁ ନ ଓହ୍ଲାଇଲେ ଦୁଷ୍କର୍ମ ମାମଲାରେ ଏତଲା ସୁଦ୍ଧା ଗ୍ରହଣ କରାଯାଉ ନାହିଁ। ଓଡ଼ିଶାରେ ମହିଳା ନିର୍ଯାତନାର ଏକ ଚିତ୍ର ବାଣ୍ଟିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲୁ। ସାକ୍ଷାତ ପାଇଁ ମୁଖ୍ୟମନ୍ତ୍ରୀ ସମୟ ନ ଦେବା ମହିଳାଙ୍କ ପ୍ରତି ତାଙ୍କର ସମ୍ବେଦନଶୂନ୍ୟତାକୁ ପ୍ରମାଣ କରୁଛି। ଗଣଦୁଷ୍କର୍ମ ମାମଲାର ତଥ୍ୟ ଅନୁଧ୍ୟାନ ପାଇଁ ଆସିଥିବା ଏଆଇସିସିର ୫ଜଣିଆ ତଥ୍ୟ ଅନୁଧ୍ୟାନ କମିଟି ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜାତୀୟ ମହିଳା କମିସନର ପୂର୍ବତନ ଅଧ୍ୟକ୍ଷା ଦୀପା ଦାସମୁନ୍‌ସି କହିଥିଲେ, ଓଡ଼ିଶାରେ ମହିଳା ନିଖୋଜ-ଚାଲାଣ ଓ ଦୁଷ୍କର୍ମ ଏବେ ନିତିଦିନିଆ ଘଟଣା ହୋଇଗଲାଣି। ରାଜ୍ୟରେ ବର୍ଷେ ହେଲା ମହିଳା କମିସନ ନିଯୁକ୍ତ ହୋଇନାହାନ୍ତି।
ମହିଳା କେଉଁଠି ଅଭିଯୋଗ କରିବେ ? ଏସବୁ ପ୍ରସଙ୍ଗକୁ ସଂସଦର ଉଭୟ ଗୃହରେ ଉଠାଯିବ। ସାଂସଦ ରଞ୍ଜିତ ରଂଜନ କହିଥିଲେ, ଆସାମୀମାନେ ଦୁଷ୍କର୍ମ ଓ ହତ୍ୟା କରିବା ପରେ ବି ଅବାଧରେ ବିଚରଣ କରୁଛନ୍ତି। ପ୍ରଶାସନର ଯାହା ପାଖକୁ ଗଲେ ‘ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ’ କଥା କହି ଘଟଣାକୁ ହାଲୁକା ଭାବେ ନେଉଛନ୍ତି। ରାଷ୍ଟ୍ରପତି ଓଡ଼ିଶାର ଜଣେ ଆଦିବାସୀ ମହିଳା ହୋଇଥିବାରୁ ତାଙ୍କୁ ସାକ୍ଷାତ ପାଇଁ ସମୟ ମାଗିବୁ। ପୂର୍ବତନ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶୋଭା ଓଜା, ସାଂସଦ ପ୍ରଣିତୀ ସିନ୍ଦେ, ସାଂସଦ ଏସ୍‌ ଜ୍ୟୋତିମଣୀ ପ୍ରମୁଖ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ପିସିସି ସଭାପତି ଶ୍ରୀ ଦାସ କହିଥିଲେ, ମୁଖ୍ୟମନ୍ତ୍ରୀ ନା ନାରୀଙ୍କୁ ସୁରକ୍ଷା ଦେଉଛନ୍ତି, ନା ଆଲୋଚନା କରିବାକୁ ଚାହୁଁଛନ୍ତି। ୩ଜଣ ସାଂସଦଙ୍କୁ ନେଇ ଗଠିତ ଏହି ଉଚ୍ଚସ୍ତରୀୟ ଦଳକୁ ଯଦି ସରକାର ସମୟ ଦେଲେନି, ଆଉ କାହାକୁ ଦେବେ ? ଏହି ପ୍ରସଙ୍ଗରେ କଂଗ୍ରେସ ଚୁପ୍‌ ବସିବ ନାହିଁ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *