ଏଣିକି ଆଉ ଦୌଡ଼ିବାକୁ ପଡ଼ିବନି ଆର୍ଆଇ ଅଫିସ, ଘରେ ବସି ଲୋକେ ପାଇବେ ରାଜସ୍ବ ସଂକ୍ରାନ୍ତ ସମସ୍ତ ସୁବିଧା
ଭୁବନେଶ୍ୱର,୨୫ା୬: ଏଣିକି ସୁବିଧା ହେବ ଜମିଜମା ପଞ୍ଜୀକରଣ। ଛୋଟମୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଆର୍ଆଇ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ। ମୋବାଇଲ ଆପରେ ମିଳିବ ସମସ୍ତ ରାଜସ୍ବ ସେବା ମିଳିଯିବ। ଏନେଇ ଇ-ରେଜିଷ୍ଟ୍ରେଶନ ଆପ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆପ୍କୁ ଉନ୍ମୋଚନ କରିଛନ୍ତି।
ବିଭିନ୍ନ କାଗଜପତ୍ର ଅନଲାଇନରେ ଡାଉନଲୋଡ, ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ, ସ୍ଲଟ୍ ସ୍ଥିତି ଜାଣିବା, ନିଜର ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ପ୍ରମାଣୀକୃତ ନକଲ ପାଇଁ ଆବେଦନ, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା ସହ ପରିଦର୍ଶକ ମୂଳକ ପଞ୍ଜୀକରଣ ନିମନ୍ତେ ମଧ୍ୟ ଏହି ଆପରେ ଆବେଦନ କରିପାରିବେ। ଏଥିସହିତ ସେବା ସମ୍ବନ୍ଧୀୟ ମତାମତ ମଧ୍ୟ ଏହି ଆପ୍ ଯୋଗେ ଦେଇପାରିବେ।
ରାଜସ୍ୱ ବିଭାଗର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ବର୍ଷକ ମଧ୍ୟରେ ବସୁନ୍ଧରା ଯୋଜନା ମାଧ୍ୟମରେ ସରକାର ୧୬,୭୨୭ ଜଣ ବାସଗୃହ ବିହୀନ ଲୋକଙ୍କୁ ଘରବାଡି ପଟ୍ଟା ଯୋଗାଇ ଦେଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ୨୦,୩୮୫ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଏବଂ କଲେଜ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। ସେହିପରି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ୪,୬୧,୬୦୨ ଖାତାକୁ ସର୍ବେକ୍ଷଣ କରାଯାଇ ୧,୧୬,୪୮୬ଜଣ ମୃତ ଲୋକଙ୍କ ରେକର୍ଡ ଗୁଡିକୁ ସେମାନଙ୍କ ଉତ୍ତରାଧିକାରୀଙ୍କ ନାମରେ କରାଯାଇଛି, ଏହାଦ୍ୱାରା ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇପାରୁଛନ୍ତି।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଗତ ଏକ ବର୍ଷ ମଧ୍ୟରେ ରାଜସ୍ୱ ବିଭାଗ ହାସଲ କରିଥିବା ସଫଳତାକୁ ନେଇ ଯେଉଁ ପୁସ୍ତିକା ପ୍ରକାଶ କରିଛନ୍ତି, ତାହା କେବଳ କାର୍ଯ୍ୟକଳାପର ଏକ ତାଲିକା ନୁହେଁ, ଏହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ ଦାୟିତ୍ୱବାନ ପ୍ରଶାସନିକ ବ୍ୟବସ୍ଥା, ଦକ୍ଷତା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମର ଏକ ପ୍ରମାଣ। ରାଜସ୍ୱ ବିଭାଗ ଏବେ ଲୋକଙ୍କ ନିକଟତର ହେଉଛି। ରାଜ୍ୟ ସରକାର ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ଏବେ ବ୍ୟାପକ ସଂସ୍କାର ଆଣିଛନ୍ତି ବୋଲି ସେ କହିଥିଲେ।
ଉଲ୍ଲେଖନୀୟ କାର୍ଯ୍ୟପାଇଁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମକୁ ଅଧିକ ଉତ୍ସାହ ଏବଂ ପ୍ରତିବଦ୍ଧତାର ସହ କାମ କରିବାକୁ ପଡିବ। ଲୋକମାନେ ଆମ ଉପରେ ଅନେକ ଆଶା ଓ ଭରସା ରଖିଛନ୍ତି, ତାହାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆମକୁ ଦାୟିତ୍ୱବାନ ହେବାକୁ ପଡିବ।
ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂହଦେଓ କହିଥିଲେ ଲୋକଙ୍କ ସରକାର ଲୋକଙ୍କ କାମ କରୁଛନ୍ତି। ଲୋକଙ୍କ ପାଇଁ ରାଜ୍ୟ ସରକାର ଯେପରି ଭାବେ ସଫଳତାର ସହ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ଶ୍ରୀ ସିଂହଦେଓ କହିଥିଲେ।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ କହିଲେ ଯେ, ବାତ୍ୟା ଦାନା ସମୟରେ ମୁଖ୍ୟମନ୍ତ୍ରୀ ସାତ ଦିନ ଧରି ସକାଳୁ ବିଳମ୍ୱିତ ସମୟ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍ରେ ଉପସ୍ଥିତ ରହି ବାତ୍ୟା ପରିଚାଳନାର ସିଧାସଳଖ ତଦାରଖ କରିଛନ୍ତି। ତାଙ୍କର କାର୍ଯ୍ୟଧାରା ନିଷ୍ଠା ଓ ପ୍ରତିବଦ୍ଧତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପ୍ରଶଂସା କରି ସେ କହିଲେ ବର୍ଷକ ମଧ୍ୟରେ ଆମେ ଯେଉଁ ସଫଳତା ହାସଲ କରିଛୁ, ସେଥିପାଇଁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ। ତେବେ, ଓଡିଶାକୁ ରାଜସ୍ୱ ସେବା ପ୍ରଦାନ କ୍ଷେତ୍ରରେ ଭାରତର ଶ୍ରେଷ୍ଠ ରାଜ୍ୟ ହେବା ଆବଶ୍ୟକ। ତେଣୁ ଆମକୁ ଆହୁରି କଠୋର ପରିଶ୍ରମ କରିବାକୁ ପଡିବ ଓ ଆହୁରି ସଫଳତା ହାସଲ କରିବାକୁ ହେବ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ଉପସ୍ଥିତ ଥିଲେ। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ ।
