ଶେଷରେ ସତ ମାନିଲା ପାକିସ୍ତାନ, ଭାରତର ଆକ୍ରମଣରେ ବଡ଼ କ୍ଷତି ହୋଇଛି
ନୂଆଦିଲ୍ଲୀ: କଥାରେ ଅଛି ହନୁ ମଲା ବେଳେ ସତ କୁହେ… ଆଉ ସେ କଥା ସତ ହୋଇଛି ପାକିସ୍ତାନ କ୍ଷେତ୍ରରେ । ପହଲଗାମ୍ ପ୍ରତିଶୋଧ ନେବାକୁ ଯାଇ ଭାରତ ଯେଉଁ ରକ୍ତମୁଖା ଜବାବ ଦେଇଛି ଆଉ ଯେଉଁ ଶୈଳୀରେ ବଦଲା ନେଇଛି… ଭାରତୀୟ ସେନାର ରୌଦ୍ରରୂପ ଦେଖି ଛାନିଆ ହୋଇଛି ପାକିସ୍ତାନ । ବିଶ୍ବ ସମୁଦାୟର ସାହାଯ୍ୟ ନେଇ ଭାରତ ଆଗରେ ମୁଣ୍ଡ ନୁଆଁଇ ସିନା ଅସ୍ତ୍ରବିରତି କରିଛି କିନ୍ତୁ ଦିନେ ନିଜ ଦେଶର କ୍ଷତି କଥା ମାନୁ ନଥିବା ପାକିସ୍ତାନ ଶେଷରେ କ୍ଷୟକ୍ଷତି ନେଇ ମତ ଦେଇଛି ।
ଅପରେସନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନକୁ ଧ୍ବଂସ କରିଥିବା ନେଇ ବାରମ୍ବାର ଦାବି କରୁଥିଲେ ବି ଏକଥାକୁ ମାନିବାକୁ ନାରାଜ ଥିଲା ପାକିସ୍ତାନ । ଭାରତ ପ୍ରମାଣ ଦେବା ପରେ ବି ପାକିସ୍ତାନ ନମାନି ଓଲଟା ଭାରତର ବଡ଼ କ୍ଷତି ସେ କରିଥିବା କହୁଥିଲା ମାତ୍ର ସତ ସବୁଦିନ ଲୁଚି ରହେନା, ଶେଷରେ ସତ ମାନିଲା ସୈତାନ ପାକିସ୍ତାନ । ଯେ ଭାରତର ଆକ୍ରମଣରେ ୧୧ ପାକିସ୍ତାନୀ ସେନା ମରିଥିବା ବେଳେ ୮୦ ପାଖାପାଖି ଗୁରୁତର ଅଛନ୍ତି । ଆଉ ଏୟାର ବେସ୍ ମଧ୍ୟ ଧ୍ବଂସ୍ ହୋଇଛି ।
ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ନିରୀହ ପର୍ଯ୍ଯଟକଙ୍କ ଜୀବନ ଯାଇଥିଲା । ଏହାର ଜବାବରେ ଭାରତୀୟ ସେନା ମେ’ ୬ ଓ ୭ ତାରିଖ ଦୁଇଦିନ ଧରି ପାକିସ୍ତାନ ଉପରେ ଜୋରଦାର ଆକ୍ରମଣ କରିଥିଲା । ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ୯ଟି ଆତଙ୍କବାଦୀ ଠିକଣାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା । ଏଥିରେ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା ।
ସେପଟେ ଭାରତ ଆକ୍ରମଣର ପ୍ରତିଜବାବରେ ପାକିସ୍ତାନ ମଧ୍ୟ ଡ୍ରୋନ ସହାୟତାରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ହେଲେ ଭାରତର ଡିଫେନ୍ସ ସିଷ୍ଟମ ଏସ-୪୦୦ ସେହି ଡ୍ରୋନଗୁଡିକୁ ଆକାଶରେ ନଷ୍ଟ କରିଦେଇଥିଲା । ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ୧୧ ଟି ଏୟାରବେସ୍ ମଧ୍ୟ ମାଟିରେ ମିଶିଯାଇଛି । ଏହାକୁ ନେଇ ଏବେ ପାକିସ୍ତାନ କହିଛି କି, ଭାରତୀୟ ସେନାଙ୍କ ଆକ୍ରମଣରେ ପାକିସ୍ତାନର ୧୧ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି, ଏହାସହ ୭୮ଜଣ ଯବାନ ଗୁରୁତର ହୋଇଛନ୍ତି । ଏହି ଯବାନମାନଙ୍କ ମଧ୍ୟରୁ ୫ ଜଣ ବାୟୁସେନାର ବୋଲି ପାକିସ୍ତାନ ତରଫରୁ କୁହାଯାଇଛି ।