ଧାମ ବିବାଦ : ଫଳକ ହଟାଇଲେ, ହେଲେ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ ମମତା
ଭୁବନେଶ୍ଵର: ଧାମ ବିବାଦରେ ମୁହଁ ଖୋଲିଲେ, ହେଲେ ଭୁଲ ମାନିବେ କ’ଣ, ଓଲଟା ବିତଣ୍ଡା ଯୁକ୍ତି କଲେ। ଖାଲି ଯୁକ୍ତି କଲେନି, ମୂଳ ପୀଠ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ। ଦୀଘାର ‘ଜଗନ୍ନାଥ ଧାମ’ ବିବାଦ ଉପରେ କିଛି ଏପରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁରୀ, ଦୀଘା ମନ୍ଦିରର ଗୁରୁତ୍ୱକୁ ସମାନ କରି, ଦୀଘା ମନ୍ଦିରକୁ ‘ଧାମ’ ବୋଲି କହିବା ଉପରେ ଉଠିଥିବା ଆପତ୍ତି ନେଇ ବିଜେପି ଉପରେ ବର୍ଷିଛନ୍ତି।
ଏନେଇ ଦିଦି କହିଛନ୍ତି, ସେ ଉଭୟ ମନ୍ଦିରକୁ ସମ୍ମାନ କରନ୍ତି। ଆମେ ପୁରୀର ମନ୍ଦିରକୁ ସମ୍ମାନ କରୁ ଏବଂ ଆମେ ଜଗନ୍ନାଥ ଧାମକୁ ମଧ୍ୟ ସମ୍ମାନ କରୁ। କାଳୀ ମନ୍ଦିର ଏବଂ ଗୁରୁଦ୍ୱାର ସାରା ଦେଶରେ ସବୁଠି ଅଛି। ମନ୍ଦିର ସବୁ ସ୍ଥାନରେ ଅଛି… ଏହି ପ୍ରସଙ୍ଗରେ ବିଜେପିର ଏତେ କ୍ରୋଧ କାହିଁକି? ବୋଲି ପ୍ରଶ୍ନ କରି, ମୂଳ ଜଗନ୍ନାଥଙ୍କ ଧାମକୁ ଖାଲି ପୁରୀ ମନ୍ଦିର କହିବା ସହ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ସମ୍ବୋଧିତ କରିଛନ୍ତି। ଯାହାର କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମମତାଙ୍କୁ ହିନ୍ଦୁ ବିରୋଧୀ ମୁଖ୍ୟମନ୍ତ୍ରୀ ଓ ଜଗନ୍ନାଥ ବିରୋଧୀ ବୋଲି ସମ୍ବୋଧିତ କରିଛନ୍ତି।
ସେପଟେ ରାଜ୍ୟ ସରକାର ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପ୍ରଚାର କରିବା ଉପରେ ଆପତ୍ତି ଉଠାଉଥିବାବେଳେ ଆଜି ଦୀଘାରେ ଲାଗୁଥିବା ଜଗନ୍ନାଥ ଧାମ ନାମ ଫଳକ ହଟାଇଦିଆଯାଇଛି। ତେବେ ବିବାଦ ମଧ୍ୟରେ, ଓଡ଼ିଶା ସରକାର ରବିବାର ଦିନ ଜଗନ୍ନାଥ ଧାମ ହଟାଇବା ନେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଏକ ଚିଠି ପଠାଇବାକୁ ଚାହୁଁଥିବା ନେଇ ମତ ଆସିବା ପରେ, ଏହି ପଦକ୍ଷେପ ସାମ୍ନାକୁ ଆସିଛି। କିନ୍ତୁ ମନ୍ଦିରର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏବେ ବି ଜଗନ୍ନାଥ ଧାମ ଲେଖା ହୋଇଛି। ତେଣୁ ଦିଦିଙ୍କ ମତ ଆଉ ଦୋମୁହାଁ ନୀତି ନେଇ ଏବେ ଅସନ୍ତୋଷ ଆହୁରି ତେଜିଛି।
ଯାହାକୁ ନେଇ ଆଇନଗତ ଆଶ୍ରୟ ନିଆଯିବ ବୋଲି ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏନେଇ ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି, ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ। ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ। ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ। ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ କରୁଛୁ । ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ ରାଜ୍ୟ ସରକାର। ନ ମାନିଲେ ଆମେ ଆଇନର ଆଶ୍ରୟ ନେବୁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ଏଥିସହିତ ଅନ୍ୟ ଜଗନ୍ନାଥ ମନ୍ଦିର ଏବଂ ସେବାୟତଙ୍କ ପାଇଁ ଏସଓପି ମଧ୍ୟ ଖୁବଶୀଘ୍ର ଆସିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ବଳକା କଥା ନେଇ ମେ ୩ ତାରିଖରେ, ଓଡ଼ିଶା ସରକାର ପୁରୀ ଜଗନ୍ନାଥ ମନ୍ଦିରର କର୍ତ୍ତୃପକ୍ଷଙ୍କୁ ବିବାଦର ତଦନ୍ତ କରିବାକୁ କହିଥିଲେ। ସରକାର ନବନିର୍ମିତ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ନାମରେ ନାମିତ କରିବା, ପୁରୀର ସେବକମାନଙ୍କ ଅଂଶଗ୍ରହଣ ଏବଂ ନବକଳେବର ରୀତିନୀତିର ଅତିରିକ୍ତ ପବିତ୍ର ନିମ କାଠ ବ୍ୟବହାର କରି ନୂତନ ମନ୍ଦିର ପାଇଁ ମୂର୍ତ୍ତି ତିଆରି କରିବା ସମ୍ପର୍କରେ ଏକ ଆଭ୍ୟନ୍ତରୀଣ ତଦନ୍ତ ପାଇଁ ମଧ୍ୟ ଆହ୍ୱାନ କରିଥିଲେ। ଯାହା ପରେ ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ମହାରଣା ସେବକଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହୋଇଛି ଦ୍ବନ୍ଦ୍ବ ଦୂର କରିଛନ୍ତି।