ରଥ ନିର୍ମାଣ କାର୍ଯ୍ୟ: ଶାଳ ପୂଜା ପରେ ପଡିଲା ଅରକଣ୍ଟା, ୨୮ ତୁମ୍ବ ଗୋଲେଇ ଶେଷ
ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ । ରବିବାର ୬୮ ଜଣ ନିର୍ମାଣକାରୀ ରଥ ତିଆରିରେ ଯୋଗ ଦେଇଛନ୍ତି । ଶ୍ରୀନହର ସମ୍ମୁଖ ରଥଖଳାରେ ତୁମ୍ବ ତିଆର ଚାଲିଛି । କରତି ସେବକମାନେ ମୋଟ ୪୨ ତୁମ୍ବ ମଧ୍ୟରୁ ମାପ ଅନୁସାରେ ୪୧ଟି ତୁମ୍ବ କାଟି ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି । ବିଶ୍ୱକର୍ମାଙ୍କ ଦ୍ୱାରା ୨୮ଟି ତୁମ୍ବ ଗୋଲେଇ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ତାଳଧ୍ଵଜ ରଥ ଏବଂ ନନ୍ଦିଘଷା ରଥର ମହାରଣା ମାନେ ୧୦ଟି ଲେଖାଏଁ ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଥିବାବେଳେ ଦେବୀ ରଥର ମହାରଣା ସେବକ ମାନେ ୮ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି ।
ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ରଥ ନିର୍ମାଣ। ରଥ ଖଳାକୁ ବିନ୍ଧ ମେସିନ୍ ଆସିଗଲାଣି । ଏହାପରେ ଚକର ମଝି ଅଂଶ ତୁମ୍ବରେ ସୂତା ବାଡିଆ ହେବ । ଅର୍ଥାତ୍ ଦାଗ ଦିଆଯିବ । ପରେ ମାପ ଚୁପ ହୋଇ ବିନ୍ଧ ଅନୁକୂଳ ହେବ । ସେପଟେ ଦୋଳବେଦି ସ୍ଥିତ ୩ଟି ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର କଣ୍ଟା ତିଆରି ଆରମ୍ଭ କରିଛନ୍ତି । ଆଗେ ଶାଳ ପୂଜା କରାଗଲା । ଲୁହା ରଡ଼ କାଟି ଶାଳରେ ପକାଇ କଣ୍ଟା ତିଆରି ଜାରି ରହିଛି । ଚକ ତିଆରିରେ ଅରକଣ୍ଟା ଲାଗିବ । ଆଜି ୩୮ ଜଣ ବିଶ୍ୱକର୍ମା, ୬ ଓଝା, ୪ କରତି ଓ ୧୯ ଭୋଇ ସେବକଙ୍କ ସମେତ ରଥ ଖଳା ସହାୟକଙ୍କୁ ମିଶାଇ ଆଜି ମୋଟ ୬୮ ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।