‘ଅକଭାନ ପାଇଁ ଭିତରକନିକା ବନ୍ଦ, କଳିଙ୍ଗା ଘାଟି ଓ ଦାରିଙ୍ଗିବାଡ଼ି ରାସ୍ତା ସିଲ୍
ଭୁବନେଶ୍ବର: ବାତ୍ୟା ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଛି ବର୍ଷା। ସମ୍ଭାବ୍ୟ ବାତ୍ୟା ଅକୱାନକୁ ନେଇ କନ୍ଧମାଳ ଜିଲ୍ଲାରେ ଆଗୁଆ ସତର୍କ ହୋଇଛି ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ କନ୍ଧମାଳର କଳିଙ୍ଗା ଓ ଦାରିଙ୍ଗିବାଡ଼ି ଘାଟି ରାସ୍ତା ସିଲ୍ କରାଯାଇଛି। ଗାଜଲବାଡ଼ି ନିକଟରେ ବ୍ୟାରିକେଟ୍ କରି ଦାରିଙ୍ଗିବାଡ଼ି ରାସ୍ତା ସିଲ୍ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୨ ଘାଟି ରାସ୍ତାକୁ ସିଲ୍ କରିଛି ପ୍ରଶାସନ। ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଏହି ବଡ଼ ପଦକ୍ଷେପ ନିଆଯାଇଛି। ଘାଟିରେ ଭୂସ୍ଖଳନ ଓ ଗଛ ଭାଙ୍ଗିବା ଆଶଙ୍କାରେ ରାସ୍ତା ସିଲ୍ କରାଯାଇଛି।
ବାତ୍ୟା ମୁକାବିଲା ପାଇଁ NDRF, ODRAF ଓ ଅଗ୍ନିଶମ ବିଭାଗର ଟିମ୍ ପ୍ରସ୍ତୁତ ରହିଛନ୍ତି ।ଏଥିସହ ୧୨ଟି ବ୍ଲକରେ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟ ସଜାଗ ରହିଛନ୍ତି । ବିଭିନ୍ନ ରିଲିଫ୍ କେନ୍ଦ୍ରରେ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି । ଯୋଗାଯୋଗ ବିଚ୍ଛିନ୍ନ ହେଲେ ଆବଶ୍ୟକ ସ୍ଥଳେ ହେଲିକପ୍ଟର ଯୋଗେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ମଧ୍ୟ ଯୋଜନା ହୋଇଛି । ସେହିପରି ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ। ରାତ୍ରୀଯାପନ ବୁକିଂକୁ ବାତିଲ୍ କଲେ ରାଜନଗର ଡିଏଫଓ। ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଏହି ଜରୁରୀ ପଦକ୍ଷେପ ନିଆଯାଇଛି।
