୫ମ ଓ ୮ମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ: ପାସ୍ ହେବାକୁ ହେଲେ ରଖିବାକୁ ପଡ଼ିବ ସର୍ବନିମ୍ନ ୩୦% ନଂ
ଭୁବନେଶ୍ବର: ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ମଜଭୁତ ଏବଂ ଛାତ୍ର କୈନ୍ଦ୍ରିକ କରିବା ଦିଗରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଏବଂ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ପ୍ରତି ବିଷୟରେ ପାସ୍ କରିବା ପାଇଁ ସର୍ବନିମ୍ନ ୩୦% ବା ୩୦ ନମ୍ବର ରଖିବା ବାଧ୍ୟତାମୂଳକ କରାଯାଇଛି ।
ନୂତନ ବ୍ୟବସ୍ଥା ଅନୁଯାୟୀ, ଉଭୟ ଶ୍ରେଣୀର ପରୀକ୍ଷାରେ ମୋଟ ମୂଲ୍ୟାୟନର ୫୦ ପ୍ରତିଶତ ଆଭ୍ୟନ୍ତରୀଣ ଏବଂ ଅବଶିଷ୍ଟ ୫୦ ପ୍ରତିଶତ ବାର୍ଷିକ ପରୀକ୍ଷାରୁ ନିର୍ଦ୍ଧାରିତ ହେବ । ପ୍ରତି ବିଷୟ ପାଇଁ ବାର୍ଷିକ ୧୦୦ ନମ୍ବର ରହିବ ବୋଲି ସୂଚନା ରହିଛି । କୌଣସି ବିଷୟରେ ୩୦% ରୁ କମ୍ ନମ୍ବର ରଖିଲେ କିମ୍ବା ବାର୍ଷିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ସେହି ବିଷୟରେ ୪ ସପ୍ତାହର ସ୍ୱତନ୍ତ୍ର ରିମେଡିଆଲ୍ ଟିଚିଂ ଦିଆଯିବ।
