Image 2026 01 18t113657.835

ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’, ବାଳାଶ୍ରମରେ ଆଧୁନିକ ରୋଷେଇ ଘର ଉଦଘାଟିତ

Spread the love

ଭୁବନେଶ୍ବର: ‘ବେଟୀ ବଚାଓ ବେଟୀ ପଢ଼ାଓ’ ଅଭିଯାନ ଅନ୍ତର୍ଗତ ସପ୍ତାହବ୍ୟାପୀ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୬କୁ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଆଜିଠାରୁ ଆସନ୍ତା ୨୪ ପର୍ଯ୍ୟନ୍ତ ଏହା ପାଳନ ହେବ । ଅନ୍ୟପଟେ, କର୍ମଜୀବୀ ମହିଳାଙ୍କ ସୁବିଧା ପାଇଁ ‘ପାଳନା’ (ଅଙ୍ଗନବାଡ଼ି କ୍ରେଚ୍) ଯୋଜନା ଆରମ୍ଭ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼, ସମ୍ବଲପୁର, ମାଲକାନଗିରି, ବୌଦ୍ଧ ଏବଂ ରାୟଗଡ଼ା ବ୍ୟତୀତ ରାଜ୍ୟର ୨୫ଟି ଜିଲାରେ ୧୬୮ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପାଳନା କେନ୍ଦ୍ର ଭାବରେ କାର୍ଯ୍ୟକ୍ଷମ କରାଯାଇଛି । ଏହି କେନ୍ଦ୍ରଗୁଡ଼ିକ ଶିଶୁ ସୁରକ୍ଷା, ପୁଷ୍ଟିସାର ଯୁକ୍ତ ଖାଦ୍ୟ, ନିରାପଦ ଶୋଇବା ସୁବିଧା, ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଟିକାକରଣ ସହାୟତା ସମେତ ସେବା ପ୍ରଦାନ କରିବ ।

କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ୬୦:୪୦ ମୂଲ୍ୟ ବଣ୍ଟନ ଅନୁପାତରେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ୬ ମାସରୁ ୩ ବର୍ଷ ବୟସର ଶିଶୁଙ୍କ ରହିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ କ୍ରେଚ୍ ପରିଚାଳନା କରାଯିବ ।

ଅନ୍ତେବାସୀ ପିଲାଙ୍କ ପାଇଁ ପରିଷ୍କାର ଏବଂ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ପୁରୀ ଏବଂ ଯାଜପୁରର ଉତ୍କଳ ବାଳାଶ୍ରମରେ ଆଧୁନିକ ରୋଷେଇ ଘର ମଧ୍ୟ ଉଦଘାଟନ କରିଛନ୍ତି ଶ୍ରୀମତୀ ପରିଡ଼ା । ଏଥିସହ ଖୋର୍ଦ୍ଧା ଏବଂ ଗଜପତି ଜିଲାରେ ଦୁଇଟି ସମନ୍ୱିତ ବାତ୍ସଲ୍ୟ ସଦନ ପାଇଁ ଆଭାସି ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ସୁବିଧାଗୁଡ଼ିକ ଶିଶୁ ଯତ୍ନ ପ୍ରତିଷ୍ଠାନ, ଶିଶୁ କଲ୍ୟାଣ କମିଟି ଏବଂ କିଶୋର ନ୍ୟାୟ ବୋର୍ଡକୁ ଗୋଟିଏ ଛାତ ତଳେ ଏକାଠି କରିବ ।

 

Leave a Reply

Your email address will not be published. Required fields are marked *