୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି : ଭାରତୀୟ ସେନା
ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଥିଲା ଅପରେସନ ସିନ୍ଦୂର ଓ ତାହା ୧୦୦ ପ୍ରତିଶତ ସଫଳ ହୋଇଛି । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଭାରତୀୟ ସେନା କହିଛି ।
ରବିବାର ଭାରତର ତିନି ସେନା ଦ୍ୱାରା ଅପରେସନ ସିନ୍ଦୂର ଉପରେ ଏକ ପ୍ରେସ ବ୍ରିଫିଂ କରାଯାଇଥିଲା। ଭାରତୀୟ ସେନାର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଅପରେସନ ସିନ୍ଦୂର ବିଷୟରେ କହିଛନ୍ତି, “୨୨ ଏପ୍ରିଲରେ ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ଅଯଥାରେ ନିର୍ମମଭାବେ ହତ୍ୟା କରାଯାଇଥିବା ସଂପର୍କରେ ଆପଣମାନେ ସମସ୍ତେ ପରିଚିତ। ଅପରେସନ ସିନ୍ଦୂର ଆତଙ୍କବାଦର ଅପରାଧୀ ଏବଂ ଯୋଜନାକାରୀମାନଙ୍କୁ ଦଣ୍ଡ ଦେବା ଏବଂ ସେମାନଙ୍କର ଆତଙ୍କ ଭିତ୍ତିଭୂମିକୁ ନଷ୍ଟ କରିବାର ସ୍ପଷ୍ଟ ସାମରିକ ଉଦ୍ଦେଶ୍ୟ ସହିତ ସଂକଳ୍ପିତ ହୋଇଥିଲା। ସେନା ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି। ଅପରେସନ ସିନ୍ଦୂର ୧୦୦ ପ୍ରତିଶତ ସଫଳ ହୋଇଛି । ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସଠିକତାର ସହିତ ଟାର୍ଗେଟ କରାଯାଇଛି। ୭ ମଇ ସକାଳେ, ସେନା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏକ ଅପରେସନ ଆରମ୍ଭ କରିଥିଲା ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ମୃତକଙ୍କ ମଧ୍ୟରେ ୟୁସୁଫ ଆଝାର, ଅବଦୁଲ ମଲ୍ଲିକ ରୌଫ, ମୁଦାସିର ଅହମ୍ମଦ ପରି କୁଖ୍ୟାତ ଆତଙ୍କବାଦୀ ଥିଲେ । ସେହିପର ୬-୭ ମଇର ଅପରେସନରେ ପାକିସ୍ତାନୀ ସେନାର ୩୦ରୁ ୪୦ ଶୀର୍ଷ ଅଧିକାରୀମାନେ ମଧ୍ୟ ନିହତ ହୋଇଥିଲେ।
୧୦ ତାରିଖରେ ପାକିସ୍ତାନ ସେନାର ଡିଜିଏମଓ ଯୁଦ୍ଧ ବିରତି ପାଇଁ ଅନୁରୋଧ କରିଥିଲେ ଓ ଭାରତୀୟ ସେନା ତାହାକୁ ଗ୍ରହଣ କରିଥିଲା । ତେବେ ଆଶଙ୍କା ଅନୁସାରେ ପାକିସ୍ତାନ ଏହାର କିଛି ସମୟ ପରେ ଏହି ବୁଝାମଣାର ଉଲ୍ଲଙ୍ଘନ କରିଥିଲା । ଏହାର ଦୃଢ ଜବାବ ଦିଆଯାଇଥିଲା । ତେବେ ପରେ ହଟଲାଇନରେ ପାକିସ୍ତାନ ଡିଜିଏମଓଙ୍କ ସହ କଥା ହୋଇ ଏହି ପ୍ରସଙ୍ଗ ଉଠାଯାଇଥିଲା । ସେପଟେ ପାକିସ୍ତାନ ପଟୁ ଯେକୌଣସି ଦୁଃସାହାସର ଜବାବ ପାଇଁ ସେନା କମାଣ୍ଡରମାନଙ୍କୁ ସ୍ବାଧୀନତା ଦିଆଯାଇଛି ବୋଲି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି । ଆସନ୍ତା ୧୨ ତାରିଖ ଦିନ ୧୨ଟା ବେଳେ ପୁଣି ଆଲୋଚନା ପାଇଁ ସ୍ଥିର ହୋଇଛି ।