ପହଲଗାମ ଉତ୍ତେଜନା ମଧ୍ୟରେ ପୁଲଓ୍ବାମା ସତ ମାନିଲା ପାକିସ୍ତାନ
ନୂଆଦିଲ୍ଲୀ: ପହଲଗାମ ଉତ୍ତେଜନା ମଧ୍ୟରେ, ପାକିସ୍ତାନର ସାମରିକ ବାହିନୀ ଏବେ ଉଗାରିଛି ପୁଲଓ୍ବାମା ସତ । ୨୦୧୯ ମସିହାରେ ପୁଲୱାମା ଆଟାକରେ ୪୦ ଜଣ ଅର୍ଦ୍ଧସାମରିକ କର୍ମଚାରୀଙ୍କ ହତ୍ୟାରେ ପାକିସ୍ତାନ ଭୂମିକା ନେଇ ମୁଖା ଖୋଲିଛି ନିଜେ ପାକିସ୍ତାନୀ ସେନା । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାକିସ୍ତାନୀ ସେନାର ଏକ କୌଶଳଗତ ପ୍ରତିଭା ଥିଲା ବୋଲି ନିଜେ ସ୍ବୀକାର କରିଛି । ବର୍ଷ ବର୍ଷ ଧରି ପୁଲଓ୍ବାମାରେ ନିଜର ସ୍ଥିତି ଅସ୍ୱୀକାର କରିବା ପରେ ଏବେ ନିଜ ମୁହଁରେ ମାନିଛି ସତ । ଏହି ବୟାନ କେବଳ ପୁଲଓ୍ବାମା ନୁହେଁ, ସଦ୍ୟତମ ପହଲଗାମ ଆକ୍ରମଣରେ ମଧ୍ୟ ପାକିସ୍ତାନର ଭୂମିକାକୁ ଆହୁରି ଦୃଢ କରିଛି ।
ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ଏୟାର ଭାଇସ୍ ମାର୍ଶାଲ୍ ଔରଙ୍ଗଜେବ ଅହମ୍ମଦ କହିଛନ୍ତି, ଆମେ ପୁଲୱାମାରେ ଆମର କୌଶଳଗତ ପ୍ରତିଭା ସହିତ ସେମାନଙ୍କୁ କହିବାକୁ ଚେଷ୍ଟା କରିଥିଲୁ… ଏହି ବିରଳ ସ୍ୱୀକାରୋକ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ନିର୍ଦ୍ଦୋଷତା ଦାବି ଏବଂ ଭାରତଠାରୁ ଏହାର ସମ୍ପୃକ୍ତି ଉପରେ ପ୍ରମାଣ ମାଗିବାର ବାହାନାକୁ ,ବେ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି ।
ତେବେ ଏହି ସମ୍ମିଳନୀରେ ଔରଙ୍ଗଜେବ ଅହମ୍ମଦଙ୍କ ସମେତ ଡିଜି ଆଇଏସ୍ପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଏବଂ ନୌସେନା ମୁଖପାତ୍ର ମଧ୍ୟ ଉପସ୍ଥିତ ରହିଥିଲେ । ଭାରତ ପାକିସ୍ତାନ ଉତ୍ତେଜନା ନେଇ ନିଜର ମତ ରଖୁଥିବା ବେଳେ ଔରଙ୍ଗଜେବ ଅହମ୍ମଦ କହିଥିଲେ, ଯଦି ପାକିସ୍ତାନର ବାୟୁମଣ୍ଡଳ, ସ୍ଥଳଭାଗ, ଜଳଭାଗ କିମ୍ବା ଏହାର ଜନତାଙ୍କୁ ବିପଦରେ ପକାଯାଏ, ତେବେ କୌଣସି ପ୍ରକାରର ସାଲିସ ହୋଇପାରିବ ନାହିଁ। ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ଆମେ ଆମ ଜାତି ପ୍ରତି ଋଣୀ। ପାକିସ୍ତାନୀ ଜନତାଙ୍କ ସଶସ୍ତ୍ର ବାହିନୀ ଉପରେ ଯେଉଁ ଗର୍ବ ଏବଂ ବିଶ୍ୱାସ ରହିଛି, ତାହା ଆମେ ସର୍ବଦା ଯେକୌଣସି ମୂଲ୍ୟରେ ବଜାୟ ରଖିଥାଉ। ଆମେ ପୁଲୱାମାରେ ଆମର ରଣନୈତିକ ପ୍ରତିଭା ମାଧ୍ୟମରେ ଏହା ଜଣାଇବାକୁ ଚେଷ୍ଟା କରିଥିଲୁ…ବର୍ତ୍ତମାନ, ଆମେ ଆମର କାର୍ଯ୍ୟକ୍ଷମ ପ୍ରଗତି ଏବଂ ରଣନୈତିକ ବୁଦ୍ଧି ପ୍ରଦର୍ଶନ କରିଛୁ। ମୁଁ ବିଶ୍ୱାସ କରେ ଭାରତ ଏଥିପ୍ରତି ଧ୍ୟାନ ଦେବା ଉଚିତ ।
ତେବେ କହିରଖୁଛୁ, ଏହି ପ୍ରେସ ବ୍ରିଫିଂରେ ଉପସ୍ଥିତ ରହିଥିବା ଲେଫ୍ଟନାଣ୍ଟ ଜେନେରାଲ ଚୌଧୁରୀ ହେଉଛନ୍ତି ପରମାଣୁ ବୈଜ୍ଞାନିକ ସୁଲତାନ ବଶିରୁଦ୍ଦିନ ମହମୁଦଙ୍କ ପୁଅ, ଯିଏ ଅଲ-କାଏଦା ମୁଖ୍ୟ ଓସାମା ବିନ୍ ଲାଡେନଙ୍କୁ ଭେଟି ଆତଙ୍କବାଦୀମାନଙ୍କୁ ପରମାଣୁ ଅସ୍ତ୍ର ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରିବାକୁ ଚେଷ୍ଟା କରିଥିଲେ। ସେ ଜାତିସଂଘ ସୁରକ୍ଷା ପରିଷଦର ଅଲ-କାଏଦା ନିବନ୍ଧନ କମିଟି ଆତଙ୍କବାଦୀଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।
ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣରେ ପାକିସ୍ତାନ ସମ୍ପୃକ୍ତିକୁ ଲଗାତାର ଅସ୍ୱୀକାର କରିଆସିଛି, ଯେଉଁଠାରେ ଜୈଶ-ଏ-ମହମ୍ମଦ (JeM)ର ଆତ୍ମଘାତୀ ବିସ୍ଫୋରଣକାରୀ ୪୦ ଜଣ ସିଆରଏଫ ଯବାନଙ୍କୁ ଜୀବନ ଯାଇଥିଲା । ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଆକ୍ରମଣକୁ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଥିଲେ । କିନ୍ତୁ ଆକ୍ରମଣରେ ଏହାର ସେନା ପ୍ରତିଷ୍ଠାନର ଭୂମିକାକୁ ସମୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ । ଆଉ ବର୍ଷ ବର୍ଷ ଧରି ଏହି ପ୍ରସଙ୍ଗକୁ ଅସ୍ବୀକାର ବି କରିଆସୁଥିଲେ । ଯାହାକୁ ନେଇ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ ଭାବେ ଦାବି କରିବା ସତ୍ତ୍ୱେ ପାକିସ୍ତାନ ଏନେଇ ପ୍ରମାଣ ଦାବି କରିଥିଲା ଏପବଂ ଭାରତର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲା। ଆକ୍ରମଣକାରୀ ଆଦିଲ ଅହମଦ ଦାରକୁ ଜେଇଏମ ସହିତ ଯୋଡିବା ଭାରତ ଦେଇଥିବା ଡୋଜିୟର ସତ୍ତ୍ୱେ ପାକିସ୍ତାନର ଅସ୍ୱୀକାର ଜାରି ରହିଥିଲା ।
ପୁଲୱାମା ଆକ୍ରମଣ ପରେ, ଭାରତ ପିଓକେର ବାଲାକୋଟରେ ଏକ ଜେଇଏମ ଆତଙ୍କୀ ଶିବିର ଉପରେ ବିମାନ ଆକ୍ରମଣ କରିଥିଲା। ଆତଙ୍କବାଦୀ ଆଡ୍ଡା ଉପରେ କାର୍ଯ୍ୟାନୁଷ୍ଠାନରେ ଜେଇଏମର ସବୁଠାରୁ ବଡ଼ ତାଲିମ ଶିବିରକୁ ଟାର୍ଗେଟ କରି ୧୨ଟି ମିରାଜ ୨୦୦୦ ଜେଟ୍ ସାମିଲ ଥିଲା । ପାକିସ୍ତାନ ଦ୍ବାରା ପ୍ରତିକ୍ରିୟାରେ ଭାରତରଏକ ବିମାନ ଡଗ୍ଫାଇଟ୍ ଏବଂ ଭାରତୀୟ ଲଢ଼ୁଆ ପାଇଲଟ୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ଗିରଫ କରାଯାଇଥିଲା । ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ପାକିସ୍ତାନ ବାୟୁସେନା ଅଧିକାରୀଙ୍କୁ କିଛି ଦିନ ପରେ ମୁକ୍ତ କରିଦେଇଥିଲା ।
ଯଦିଓ ଏହି ସ୍ୱୀକାରୋକ୍ତି ବିରଳ ହୋଇପାରେ, ଏହା ପ୍ରଥମ ନୁହେଁ । ଅକ୍ଟୋବର ୨୦୨୦ରେ, ପାକିସ୍ତାନର ତତ୍କାଳୀନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୱାଦ ଚୌଧୁରୀ ଖୋଲାଖୋଲି ଭାବରେ ସ୍ୱୀକାର କରିଥିଲେ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଦାୟୀ । ସେ କହିଥିଲେ, ଆମେ ଭାରତକୁ ସେମାନଙ୍କ ଘରେ ପଶି ଆଘାତ କରିଥିଲୁ । ପୁଲୱାମାରେ ଆମର ସଫଳତା, ଇମ୍ରାନ ଖାନଙ୍କ ନେତୃତ୍ୱରେ ଏହି ଜାତି ପାଇଁ ଏକ ସଫଳତା । ଆପଣ ଏବଂ ଆମେ ସମସ୍ତେ ସେହି ସଫଳତାର ଅଂଶ । ହେଲେ ପୁଲୱାମା ଆକ୍ରମଣରେ ପାକିସ୍ତାନ ସରକାର କେବେ ବି ଆନୁଷ୍ଠାନିକ ଭାବରେ ନିଜର ସମ୍ପୃକ୍ତିକୁ ସ୍ୱୀକାର କରିନଥିଲେ, କିନ୍ତୁ ଏବେ ଔରଙ୍ଗଜେବଙ୍କ ବୟାନ ସେ ସତକୁ ସାମ୍ନାକୁ ଆଣିଲା ।