ପାକିସ୍ତାନକୁ କଡ଼ା ସମାଲୋଚନା କଲେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି କାଟଜୁ
ନୂଆଦିଲ୍ଲୀ,୯।୫: ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ମାର୍କଣ୍ଡେୟ କାଟଜୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ଉପରେ କଟାକ୍ଷ କରିଛନ୍ତି। ସେ ଫେସବୁକରେ ଦୁଇଟି ପୋଷ୍ଟ ଲେଖିଛନ୍ତି ଏବଂ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଆମେ ଖୁବ ଶୀଘ୍ର ଲାହୋରରେ ଜଳଖିଆରେ ବେକନ ଏବଂ ଅଣ୍ଡା ଖାଇବୁ, ଇସଲାମାବାଦରେ ମଧ୍ୟାହ୍ନ ଭୋଜନରେ ବିରିୟାନିର ମଜା ନେବୁ, ପେଶାୱରରେ ଚା’ ସହିତ ଡୋନଟ୍ସ ଖାଇବୁ ଏବଂ କରାଚୀରେ ରାତ୍ରୀ ଭୋଜନରେ ସାମୁଦ୍ରିକ ଖାଦ୍ୟ ବା ସି-ଫୁଡ଼ରର ସ୍ବାଦ ନେବୁ।
ଅନ୍ୟ ଏକ ଫେସବୁକ ପୋଷ୍ଟରେ, ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଲେଖିଛନ୍ତି, ‘ଆମେ ଲାହୋରକୁ ‘ଲଭ ନଗର’ (ଲାହୋରୱାଲିଙ୍କୁ ଖୁସି କରିବା ପାଇଁ), କରାଚୀକୁ ‘ନୂଆ କାଶୀ’, ପେଶାୱାରକୁ ‘ପେଶୱା ନଗର’ ଏବଂ କ୍ୱେଟାକୁ ‘କୃଷ୍ଣ ନଗର’ ନାମ ଦେବୁ।’ ଜଷ୍ଟିସ କାଟଜୁଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଭାରତକୁ ଯୁଦ୍ଧ ପାଇଁ ନିରନ୍ତର ଉସୁକାଇ ଆସୁଛି ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି।
ଗୁରୁବାର ରାତିରେ ପାକିସ୍ତାନ ଡ୍ରୋନ ସାହାଯ୍ୟରେ ୧୫ଟି ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହାର ଭାରତୀୟ ସେନା ଉତ୍ତମ ଜବାବ ଦେଇଥିଲା। ଭାରତ ୫୦ ରୁ ଅଧିକ ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି। ଏହା ପରେ, ପାକିସ୍ତାନୀ ସେନା ମଧ୍ୟ LOC ଉପରେ ଗୁଳି ଚଳାଇଥିଲା, ଯାହାର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା।
ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ପରେ, ଭାରତ ପ୍ରତିଶୋଧ ନେଇ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ସାଧାରଣ ନାଗରିକ ଏବଂ ନିର୍ଦ୍ଦୋଷ ପିଲାମାନଙ୍କୁ ଟାର୍ଗେଟ କରୁଛି। ଏହା ପରେ, ପାକିସ୍ତାନରୁ ଭାରତ ଉପରେ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଥିଲା। ପାକିସ୍ତାନୀ ସେନା ନିରନ୍ତର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ଏବଂ ନିୟନ୍ତ୍ରଣ ରେଖାରେ ଗୁଳିଚାଳନା କରୁଛି, ଯାହାର କଡ଼ା ଜବାବ ଦେଉଛି ଭାରତୀୟ ସେନା।