1

ପିଏମ୍‌ ଆବାସ ଯୋଜନାରେ ବଡ଼ ପରିବର୍ତ୍ତନ

Spread the love

ନୂଆଦିଲ୍ଲୀ, ୬।୫ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସହିତ ଜଡିତ ଏକ ଆଶ୍ୱସ୍ତି ଖବର ସାମ୍ନାକୁ ଆସିଛି। ସରକାର ଯୋଗ୍ୟତା ସର୍ତ୍ତାବଳୀରେ ପରିବର୍ତ୍ତନ କରିଥିବାରୁ ଏବେ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇପାରିବେ। ପୂର୍ବରୁ ଏହି ଯୋଜନାରେ ଆବେଦନ କରିବା ପାଇଁ ୧୩ଟି ସର୍ତ୍ତ ପୂରଣ କରିବା ଜରୁରୀ ଥିଲା, ଏବେ ଏହି ସଂଖ୍ୟା ୧୦କୁ ହ୍ରାସ କରାଯାଇଛି। ଏହାର ଅର୍ଥ ହେଉଛି ଏବେ ୧୩ଟି ବଦଳରେ କେବଳ ୧୦ଟି ସର୍ତ୍ତ ପୂରଣ କରିବାକୁ ପଡିବ, ଯେଉଁଥିରେ ମାସିକ ଆୟ ସୀମା ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ, ଘର ନିର୍ମାଣ ପାଇଁ ସରକାରଙ୍କ ଦ୍ୱାରା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ। ପୂର୍ବରୁ ଯୋଗ୍ୟତା ନିର୍ଣ୍ଣୟ ପାଇଁ ୧୩ଟି ପାରାମିଟର ଥିଲା, ଯାହାକୁ ଏବେ ୧୦କୁ ହ୍ରାସ କରାଯାଇଛି। ପୂର୍ବରୁ ମାସିକ ଆୟ ସୀମା ୧୦,୦୦୦ ଟଙ୍କା ଥିଲା, ଯାହାକୁ ଏବେ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଦୁଇଚକିଆ ଯାନ କିମ୍ବା ମାଛ ଧରିବା ଡଙ୍ଗା ଥିଲେ ଏହି ଯୋଜନାର ଲାଭ ମିଳିପାରୁ ନ ଥିଲା, କିନ୍ତୁ ଏବେ ଏପରି ବ୍ୟକ୍ତିମାନେ ମଧ୍ୟ ଆବେଦନ କରିପାରିବେ।
ପାହାଡ଼ିଆ ଅଞ୍ଚଳରେ ୧.୩୦ ଲକ୍ଷ ଟଙ୍କା ଏବଂ ସାଧାରଣ ଅଞ୍ଚଳରେ ୧.୨୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯାଉଥିଲା। ଯେଉଁମାନେ ଏପର୍ଯ୍ୟନ୍ତ ସର୍ଭେ କରିନାହାନ୍ତି, ସେମାନଙ୍କ ପାଇଁ ଶେଷ ତାରିଖ ମେ’୧୫ (ପୂର୍ବରୁ ଏହା ଏପ୍ରିଲ ୩୦ ଥିଲା) ସ୍ଥିର କରାଯାଇଛି।
ପୂର୍ବ ୧୩ ଟି ସର୍ତ୍ତ ମଧ୍ୟରୁ ଏହି ୩ଟି ପ୍ରମୁଖ ସର୍ତ୍ତକୁ ହଟାଇ ଦିଆଯାଇଛି:
-ଯଦି ଆପଣଙ୍କର ସ୍କୁଟର, ବାଇକ କିମ୍ବା ଡଙ୍ଗା ଅଛି, ତେବେ ଆପଣ ମଧ୍ୟ ଏବେ ଯୋଗ୍ୟ।
-ଗ୍ୟାସ ଚୁଲା ରଖିବା ଆଉ ଅଯୋଗ୍ୟତାର କାରଣ ନୁହେଁ।
-ଏବେ ବିଦ୍ୟୁତ ସଂଯୋଗ ନ ଥିବା ମଧ୍ୟ ଏକ ବାଧ୍ୟତାମୂଳକ ସର୍ତ୍ତ ନୁହେଁ।
ଏବେ ଏହି ୧୦ ଟି ସର୍ତ୍ତ ପୂରଣ କରିବାକୁ ପଡିବ
-ମହିଳା ମୁଖ୍ୟ ପରିବାର
-ପରିବାରରେ କୌଣସି ପ୍ରାପ୍ତବୟସ୍କ (୧୬-୫୯ ବର୍ଷ) ସଦସ୍ୟ ନାହାନ୍ତି।
-କୌଣସି ସାକ୍ଷର ସଦସ୍ୟଙ୍କ ବୟସ ୨୫ବର୍ଷରୁ ଅଧିକ ହେବା ଉଚିତ ନୁହେଁ।
-ପରିବାରରେ ଜଣେ ଦିବ୍ୟାଙ୍ଗ ସଦସ୍ୟ କିମ୍ବା ବୟସ୍କ ବ୍ୟକ୍ତି ରହିବା
-କେବଳ ସାଧାରଣ ଶ୍ରମିକ ଉପରେ ର୍ନିଭର କରୁଥିବା ଭୂମିହୀନ ପରିବାର
-ବାସହୀନ ପରିବାର କିମ୍ବା କେବଳ ଗୋଟିଏ କୋଠରୀରେ ରହୁଥିବା ପରିବାର
-ଏସସି/ଏସଟି କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାର
-ଶୌଚାଳୟ ନାହିଁ
-ଶିକ୍ଷା କିମ୍ବା ନିଯୁକ୍ତିର ଅଭାବ
-ଅନ୍ୟାନ୍ୟ ସାମାଜିକ-ଆର୍ଥିକ ଆବଶ୍ୟକତା
ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଅସହାୟ ଲୋକ ଏହି ଯୋଜନାର ଲାଭ ଉଠାଇପାରିବେ। ଯଦି ଆପଣ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ, ତେବେ ୧୫ ମଇ ପୂର୍ବରୁ ଆପଣଙ୍କର ଗୃହ ସର୍ଭେ କରନ୍ତୁ। ଏହି ସର୍ଭେର ଶେଷ ତାରିଖ ପୂର୍ବରୁ ୩୦ଏପ୍ରିଲ ଥିଲା, କିନ୍ତୁ ଏବେ ଏହାକୁ ୧୫ ଦିନ ପାଇଁ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *