ଯୁଦ୍ଧ ପୂର୍ବରୁ ରାୱଲପିଣ୍ଡିରେ ଜରୁରୀକାଳୀନ ପରିସ୍ଥିତି
ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଭାରତ ପ୍ରଥମେ ପାକିସ୍ତାନକୁ ହାତରେ ନମାରି ଭାତରେ ମାରିବାକୁ ଯୋଜନା କରିଛି। ଏନେଇ ଭାରତ ପକ୍ଷରୁ ଜମ୍ମୁ-କଶ୍ମୀରରେ ବଗଲିହାର ଏବଂ ସିୟାଲ ଡ୍ୟାମ୍ର ଗେଟ୍ ବନ୍ଦ କରାଯିବା ପରେ ଚେନାବ ନଦୀରେ ପ୍ରବାହିତ ଜଳସ୍ତର କମିବାରେ ଲାଗିଛି। ପାକିସ୍ତାନକୁ ପ୍ରବାହିତ ହେଉଥିବା ଜଳ ବନ୍ଦ ହୋଇଯାଇଛି। ଫଳରେ ଚେନାବର ଜଳସ୍ତର ୨୨ ଫୁଟରୁ କମି ୧୫ ଫୁଟ ହୋଇଯାଇଛି।
ଗତ ୨୪ ଘଣ୍ଟାରେ ଜଳସ୍ତର ୭ ଫୁଟ କମିଛି। ଫଳରେ ୩ କୋଟିରୁ ଅଧିକ ଜନସଂଖ୍ୟା ବାସ କରୁଥିବା ଅଞ୍ଚଳ ପାଇଁ ଜଳ ସଙ୍କଟ ସୃଷ୍ଟି ହୋଇଛି। ଫଳରେ ପୂର୍ବରୁ ଜଳ ସଙ୍କଟ ରହିଥିବା ରାୱଲପିଣ୍ଡି ସହରରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି।
ପାକିସ୍ତାନର ଜଳ ଏବଂ ପରିମଳ ସଂସ୍ଥା ଅନୁସାରେ ଖାନପୁର ଡ୍ୟାମ୍ରେ ମାତ୍ର ଏକମାସର ପାଣି ରହିଛି। ସେହିପରି ରାୱଲ ଡ୍ୟାମ୍ରେ ୩ ମାସ ପାଇଁ ପାଣି ରହିଛି। ଏହା ସହିତ ମରୁଡ଼ି ସ୍ଥିତି ଏବଂ ଲଗାତାର କମ୍ ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଜଳ ସଙ୍କଟ ଅଧିକ ଉତ୍କଟ ହେବାରେ ଲାଗିଛି।
ରାୱଲପିଣ୍ଡି ସହରର ଦୈନିକ ଜଳ ଆବଶ୍ୟକକତା ୫୦ ନିୟୁତ ଗ୍ୟାଲନ ରହିଛି। କିନ୍ତୁ ଜଳ ଏବଂ ପରିମଳ ସଂସ୍ଥା ପକ୍ଷରୁ ସହରକୁ ୩୦ ନିୟୁତ ଗ୍ୟାଲନ ଯୋଗାଇ ଦିଆଯାଉଛି। ଫଳରେ ସହରରେ ଦୈନିକ ୨୦ ନିୟୁତ ଗ୍ୟାଲନ ଜଳର ଅଭାବ ରହିଛି। ଫଳରେ ନଳକୂପ ଏବଂ ଅନ୍ୟ ବିକଳ୍ପ ଜଳ ଉତ୍ସ ଉପରେ ନିର୍ଭରଶୀଳତା ବଢ଼ିବାରେ ଲାଗିଛି।
ସହର ପ୍ରଶାସନ ଅନୁସାରେ ଜନସଂଖ୍ୟା ବୃଦ୍ଧି, ବ୍ୟବସାୟ ଅନୁଷ୍ଠାନ ବଢ଼ିବା ଯୋଗୁ ସହରରେ ଜଳର ଅଭାବ ଦେଖାଦେଇଛି। ଅନ୍ୟପକ୍ଷରେ ବର୍ଷାର ଆଶା କ୍ଷୀଣ ରହିଥିବା ବେଳେ ଭାରତ ପକ୍ଷରୁ ଜାରି ରହିଥିବା ପରୋକ୍ଷ ଯୁଦ୍ଧ ସହରର ସ୍ଥିତିକୁ ଅଧିକ ସଙ୍କଟଜନକ କରିଥିବା ସହର ପ୍ରଶାସନ ପକ୍ଷରୁ କୁହାଯାଇଛି।