Supreme Court

ଶିଶୁ ଚାଲାଣ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ ମାସ ମଧ୍ୟରେ ମାମଲାର ବିଚାର ଶେଷ କରନ୍ତୁ

Spread the love

ନୂଆଦିଲ୍ଲୀ,୧୬।୪: ଶିଶୁ ଚାଲାଣ ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଜଷ୍ଟିସ ଜେ.ବି. ପର୍ଦ୍ଦିୱାଲା ଓ ଜଷ୍ଟିସ ଆର. ମହାଦେବନଙ୍କ ଖଣ୍ଡପୀଠ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ନିଜ ନିଜ ରାଜ୍ୟରେ ବିଚାରାଧୀନ ଥିବା ଶିଶୁ ଚାଲାଣ ମାମଲାଭୁଡିକର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଆଗାମୀ ୬ ମାସ ମଧ୍ୟରେ ଏହାର ବିଚାର ସମ୍ପୂର୍ଣ୍ଣ କରିବାକୁ ସମସ୍ତ ଜିଲା ଅଦାଲତକୁ ନିର୍ଦ୍ଦେଶ ଦେବେ। ଆବଶ୍ୟକ ହେଲେ ଏହି ମାମଲାଗୁ ବିଚାର ପ୍ରତିଦିନ ଆଧାରରେ କରାଯିବ।

ଏହା ସହିତ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ୧୩ ଜଣ ଅଭିଯୁକ୍ତଙ୍କୁ ଦିଆଯାଇଥିବା ଜାମିନକୁ ରଦ୍ଦ କରିଛନ୍ତି। ଏହି ଅଭିଯୁକ୍ତମାନେ ଏକ ଅନ୍ତଃରାଜ୍ୟ ଶିଶୁ ଚାଲାଣ ଗ୍ୟାଙ୍ଗର ସଦସ୍ୟ ଥିଲେ। ଅଦାଲତ କହିଛନ୍ତି ଯେ, ହାଇକୋର୍ଟ ଏହି ଜାମିନ ଆବେଦନଗୁଡିକୁ ଅତ୍ୟନ୍ତ ନିରାଶଜନକ ଭାବେ ନିଷ୍ପତ୍ତି ନେଇଥିଲେ, ଯାହା ଫଳରେ ଅନେକ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ଅଦାଲତ ଆହୁରି କହିଛନ୍ତି ଯେ, ଶିଶୁ ଚାଲାଣ ଏକ ଗୁରୁତର ଅପରାଧ ଏବଂ ଏଥିରେ ସମ୍ପୃକ୍ତ ଅପରାଧୀମାନେ ସମାଜ ପାଇଁ ଏକ ବଡ଼ ବିପଦ। ଏହି ଅପରାଧୀମାନେ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ, ହସ୍ପିଟାଲରୁ ନବଜାତ ଶିଶୁ ଚୋରି ହେଲେ ସମ୍ପୃକ୍ତ ହସ୍ପିଟାଲର ଲାଇସେନ୍ସ ତୁରନ୍ତ ରଦ୍ଦ କରାଯିବ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର ଆୟୋଗ (NHRC) ଦ୍ୱାରା ୨୦୨୩ରେ କରାଯାଇଥିବା ଏକ ଅଧ୍ୟୟନର ସୁପାରିଶଗୁଡିକୁ ଅନୁଧ୍ୟାନ କରି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧ୍ୟୟନରେ ଶିଶୁ ଚାଲାଣ ରୋକିବା ଓ ଏହା ସହ ଜ ଡିତ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ସୁପାରିଶ କରାଯାଇଛି। ଏଥିସହ ଦିଲ୍ଲୀ ପୋଲିସକୁ ଏକ ଖବରକାଗଜ ରିପୋର୍ଟକୁ ଗମ୍ଭୀରତାର ସହ ନେଇ ଏପ୍ରିଲ ୨୧ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟରେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ଶିଶୁ ଚାଲାଣ ଗ୍ୟାଙ୍ଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି। କୋର୍ଟ ଏହି ଗ୍ୟାଙ୍ଗ ବିରୋଧରେ କ’ଣ ପଦକ୍ଷେପ ନିଆଯାଉଛି, ତାହା ଜାଣିବାକୁ ଚାହିଁଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ କୌଣସି ଢିଲା ମନୋଭାବ ଦେଖାଗଲେ ତାହାକୁ କୋର୍ଟଙ୍କ ଅବମାନନା ଭାବେ ଗଣ୍ୟ କରାଯିବ ବୋଲି ସୁପ୍ରିମକୋର୍ଟ ସତର୍କ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *