Highcourt 750x430

ଏସ୍‌ସିବିରେ ଶିଶୁ ବଦଳ ମାମଲା: ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟଙ୍କ ନୋଟିସ୍

Spread the love

କଟକ: କଟକ ବଡ଼ ମେଡିକାଲ (ଏସ୍‌ସିବି)ରେ ଶିଶୁ ବଦଳକୁ ନେଇ ରୁଜୁ ହୋଇଥିବା ମାମଲାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହାଇକୋର୍ଟ କହିଛନ୍ତି, ସରକାରୀ ମେଡିକାଲ୍‌ ଉପରେ ଲୋକଙ୍କ ଅଖଣ୍ଡ ବିଶ୍ୱାସ ରହିଥାଏ। କିନ୍ତୁ ଯେତେବେଳେ ଏହି ଭରସା ତୁଟିଯାଏ ସେତେବେଳେ କେବଳ ଏହି ହସ୍ପିଟାଲ୍‌ର ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ଉଠେନି ବରଂ ପୂରା ଅନୁଷ୍ଠାନ ଉପରେ ଥିବା ବିଶ୍ୱାସ ଦୋହଲିଯାଏ। ତେଣୁ ଏଭଳି ଏକ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟ ଏସ୍‌ସିବି ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ଏପ୍ରିଲ ୨ ତାରିଖ ସୁଦ୍ଧା ଅଧୀକ୍ଷକ ଏହା ଉପରେ ଜବାବ ରଖିବେ। ରତନା ବେହେରାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍‌ ଏସ୍‌.କେ ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ୨୦୨୫ ଫେବ୍ରୁଆରୀ ୧୦ରେ ଆବେଦନକାରୀଙ୍କ ପତ୍ନୀ ଏସ୍‌ସିବିର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ୧୧ ତାରିଖ ସକାଳେ ତାଙ୍କର ଶିଶୁ କନ୍ୟା ଜନ୍ମ ନେଇଥିଲା। ଜନ୍ମ ସମୟରେ ଶିଶୁ କନ୍ୟା ସୁସ୍ଥ ଥିଲା। ପରିବାର ଲୋକେ ଶିଶୁ କନ୍ୟାର ଫଟୋ ମଧ୍ୟ ଉଠାଇଥିଲେ।

କିଛି ସମୟ ପରେ ଶିଶୁ କନ୍ୟା ଅସୁସ୍ଥ ଥିବା ଦର୍ଶାଇ ଡାକ୍ତର ଆଇସିୟୁରେ ଭର୍ତ୍ତି କରିବା ସହ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଥିଲେ। ୧୨ ତାରିଖ ସକାଳେ ଶିଶୁ କନ୍ୟାର ଜେଜେମା ଦେଖିବାକୁ ଆଇସିୟୁକୁ ଯାଇଥିଲେ। ଡାକ୍ତରଖାନା କର୍ମଚାରୀ ଶିଶୁ କନ୍ୟାକୁ ମୃତ ଦର୍ଶାଇବା ସହ ତତ୍‌କ୍ଷଣାତ୍‌ ମୃତଦେହ ହସ୍ତାନ୍ତର କରିଥିଲେ। ଏଥିସହ ମହାନଦୀ ପଠାରେ ମୃତଦେହ ପୋତିଦେବାକୁ କୁହାଯାଇଥିଲା। ମୃତ ଶିଶୁର ଶରୀର କପଡ଼ାରେ ଢାଙ୍କି ହୋଇ ରହିଥିଲା। ଶିଶୁକୁ ପୋତିବା ସମୟରେ ମୁହଁ ଦେଖିବା ପରେ ଏହା ତାଙ୍କ ଶିଶୁ କନ୍ୟା ନୁହେଁ ବୋଲି ସେମାନେ ଜାଣିଥିଲେ।

କିଛି ସମୟ ପରେ ସେମାନେ ପୁନର୍ବାର ଉକ୍ତ ସ୍ଥାନକୁ ଯାଇ ବାଲି ଖୋଳି ଦେଖିଥିଲେ ହେଲେ ମୃତଦେହ ନଥିଲା କେବଳ କପଡ଼ା ମିଳିଥିଲା। ଏସ୍‌ସିବିରେ ତାଙ୍କ ଶିଶୁ ବଦଳ କରାଯାଇଥିବା ନେଇ ମେଡିକାଲ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ମାତ୍ର କୌଣସି ସୁଫଳ ମିଳିନଥିଲା। ପରେ ସେମାନେ ମଙ୍ଗଳାବାଗ ଥାନାଧିକାରୀ, କଟକ ଡିସିପି ଓ କଟକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ। ସବୁଠୁ ନିରାଶ ହୋଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାକୁ ବିଚାର ନିମନ୍ତେ ଗ୍ରହଣ କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍‌ କରିଛନ୍ତି।

Leave a Reply

Your email address will not be published. Required fields are marked *