ଅକଭାନ ପାଇଁ ୧.୦୫ ଲକ୍ଷ ଲୋକ ସ୍ଥାନାନ୍ତର, ୯୦୦୦ ଆଶ୍ରୟସ୍ଥଳୀ ଚିହ୍ନଟ
ଭୁବନେଶ୍ୱର: ଶୁକ୍ରବାର ଦିନ ଗୋପାଳପୁର ନିକଟରେ ବାତ୍ୟା ‘ଅକୱାନ’ ସ୍ଥଳଭାଗ ଛୁଇଁବ। ଏହାକୁ ନଜରରେ ରଖି ଓଡ଼ିଶା ସରକାର ବିପଦପୂର୍ଣ୍ଣ ଅଞ୍ଚଳରୁ ୧.୦୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ସହ ୯,୦୦୦ ଆଶ୍ରୟସ୍ଥଳୀ ଚିହ୍ନଟ କରିଛନ୍ତି।
ବାତ୍ୟା ଓ ଏହାର ପ୍ରଭାବର ମୁକାବିଲା ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି କୌଣସି ପ୍ରକାରର ଜୀବନହାନି ନ ହେବା। ଏହି ଭୟଙ୍କର ବାତ୍ୟାର ପ୍ରଭାବକୁ ସର୍ବନିମ୍ନ ସ୍ତରକୁ ଆଣିବା ପାଇଁ ସମସ୍ତ ବିଭାଗ ପରସ୍ପର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।
ସେ କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିଲୋମିଟର ରହିପାରେ ଏବଂ ପବନର ଝଟକା ଘଣ୍ଟା ପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
