22

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାଁରେ ୬ କୋଟି ଟଙ୍କା ଠକେଇ: ବନ୍ଧା ହେଲେ ବିଜେପି ନେତା

Spread the love

କୋଲକାତା: ପଶ୍ଚିମବଙ୍ଗରୁ ଏକ ବଡ଼ଧରଣର ଠକେଇ ଘଟଣା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ବ୍ୟବହାର କରି ବିଭିନ୍ନ ଲୋକଙ୍କଠାରୁ ପ୍ରାୟ ୬ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଜଣେ ବିଜେପି ନେତାଙ୍କୁ ପୁଲିସ ଗିରଫ କରିଛି। ପୂର୍ବ ମେଦିନୀପୁରର ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି ।

ଗିରଫ ବ୍ୟକ୍ତି ଜଣକ ହେଲେ ଅଭିଜିତ୍ କର । ସେ ନନ୍ଦକୁମାର ଅଞ୍ଚଳର ଜଣେ ବିଜେପି ମଣ୍ଡଳ ଉପସଭାପତି ଭାବେ ପରିଚିତ। ଗ୍ରାହକ, ଚୁକ୍ତିଭିତ୍ତିକ ଠିକାଦାର ଏବଂ ସରକାରୀ ଚାକିରି ଆଶାୟୀଙ୍କୁ ଟାର୍ଗେଟ୍ କରି ଅଭିଯୁକ୍ତ ଜଣକ ଏହି ମୋଟା ଅଙ୍କର ଟଙ୍କା ସଂଗ୍ରହ କରିଥିଲେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଥିବା ଏବଂ ସରକାରୀ ସ୍ତରରେ ବଡ଼ଧରଣର କାମ କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସେ ଏହି ଠକେଇ ଜାଲ ବିଛାଇଥିଲେ।

ରିପୁଞ୍ଜୟ ପ୍ରମାଣିକ ନାମକ ଅନ୍ୟ ଜଣେ ସ୍ଥାନୀୟ ବିଜେପି ନେତାଙ୍କ ଅଭିଯୋଗ କ୍ରମେ ଏହି ଘଟଣା ପଦାକୁ ଆସିଛି। ଅଭିଯୋଗକାରୀଙ୍କ କହିବାନୁଯାୟୀ, ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟ୍ ଦେବା ନାଁରେ ଅଭିଜିତ୍ ତାଙ୍କଠାରୁ ୧୨ ଲକ୍ଷ ଟଙ୍କା ନେଇଥିଲେ। ଏପରିକି ଦିଲ୍ଲୀ ନେଇଯାଇ ବଡ଼ ବଡ଼ କେନ୍ଦ୍ରୀୟ ନେତାଙ୍କ ସହ ଭେଟ କରାଇବାର ପ୍ରଲୋଭନ ମଧ୍ୟ ଦେଖାଇଥିଲେ। ମାତ୍ର ନା ତାଙ୍କୁ ଟିକେଟ୍ ମିଳିଲା ନା ଟଙ୍କା ଫେରସ୍ତ ମିଳିଲା। ଏହାପରେ ପୀଡ଼ିତମାନେ ମିଳିତ ଭାବେ ଅଭିଯୋଗ କରିବାରୁ ପୁଲିସ ତତ୍ପରତା ପ୍ରକାଶ କରିଥିଲା।

ଅଭିଯୋଗକୁ ଭିତ୍ତିକରି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଜିତ୍ କରଙ୍କୁ ଗିରଫ କରିଛି। ରବିବାର ଦିନ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିବା ବେଳେ ଅଧିକ ପଚରାଉଚରା ପାଇଁ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଛି । ତେବେ ଗଣମାଧ୍ୟମ ସାମ୍ନାରେ ଅଭିଯୁକ୍ତ ଜଣକ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ଭିତ୍ତିହୀନ ବୋଲି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *