Maha

ଡାଇନିଂ ଟେବୁଲରେ ମହାପ୍ରସାଦଦ ସେବନ ନ କରିବାକୁ ନିବେଦନ

Spread the love

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଡାଇନିଂ ଟେବୁଲରେ ମହାପ୍ରସାଦଦ ସେବନ ନ କରିବାକୁ ନିବେଦନ କରାଯାଇଛି। ଡାଇନିଂ ଟେବୁଲରେ ମହାପ୍ରସାଦ ସେବନର ଭିଡିଓ ଭାଇରାଲ ହେବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରି କୁହାଯାଇଛି ଯେ ମହାପ୍ରଭୁଙ୍କ ଦିବ୍ୟ ପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ। ଭୂମିରେ ବସି ମହାପ୍ରସାଦ ସେବନର ବିଧି ଅନାଦି କାଳରୁ ରହିଆସିଛି। ତେଣୁ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ ନ କରିବାକୁ ନିଦେଦନ କରାଯାଉଛି। ହୋଟେଲଗୁଡ଼ିକ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏହାସହିତ ନିଜ ଅତିଥିଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନ କରିବାକୁ କୁହାଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ ପୁରୀ ଶ୍ରୀକ୍ଷେତ୍ରର ଏକ ହୋଟେଲରେ କିଛି ବ୍ୟକ୍ତି ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରୁଥିବା ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ଶ୍ରୀମନ୍ଦିର ପ୍ରଶାସନର ନଜରକୁ ଆସିଅଛି । ଏହି ଚିତ୍ରକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି ସନ୍ଦର୍ଭରେ ଶ୍ରୀମନ୍ଦିର ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ, ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ। ଭୂମିରେ ବସି ମହାପ୍ରସାଦ ସେବନର ବିଧି ପରମ୍ପରା ଅନାଦି କାଳରୁ ରହିଆସିଛି। ତେଣୁ ଏଭଳି ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରିବା ଭଳି ପରମ୍ପରା ବିରୋଧୀ କାର୍ଯ୍ୟରୁ ବିରତ ରହିବାକୁ ସମସ୍ତ ଭକ୍ତ ସମାଜକୁ ବିନମ୍ର ନିବେଦନ କରାଯାଉଛି। ହୋଟେଲ ଗୁଡିକ ମଧ୍ୟ ଏଥିପାଇଁ ଦୃଷ୍ଟି ଦେବା ସହ ନିଜ ଅତିଥିଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନ କରିବାକୁ ଅନୁରୋଧ।

ମହାପ୍ରସାଦ କହିଲେ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ବୁଝାଇଥାଏ। ଏହାର ସେବନ ମନୁଷ୍ୟକୁ ମୁକ୍ତି ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି । ଏହା ମାନବ ଶରୀରର କୌଣସି କ୍ଷତି କରିନଥାଏ। ମହାପ୍ରସାଦର ରନ୍ଧନଶୈଳୀକୁ ଦୃଷ୍ଟିଦେଲେ ଜାଣି ହୁଏ ଯେ, ଏହା ସମ୍ପୂର୍ଣ୍ଣ ବାମ୍ଫଦ୍ୱାରା ପ୍ରସ୍ତୁତ ହୋଇଥାଏ । ରନ୍ଧନ କାର୍ଯ୍ୟରେ ବ୍ୟବହୃତ ପରିବାରୁ ଚୋପା ଛଡ଼ା ଯାଇନଥାଏ । ମହାପ୍ରସାଦ ପ୍ରସ୍ତୁତରେ ଘିଅ ବ୍ୟତୀତ ଅନ୍ୟ କୌଣସି ତେଲ, ଗରମ ମସଲା, ପୋସ୍ତକ ଓ ଉତ୍ତେଜକ ଦ୍ରବ୍ୟ ବ୍ୟବହାର ନିଷିଦ୍ଧ। ଏଥିରେ ଆୟୁର୍ବେଦର ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ।

ସେହିପରି ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ। ଏହା ଅବଢ଼ା (ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା। କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ।

ଶ୍ରୀମନ୍ଦିର ଭିତରେ ଥିବା ଗଙ୍ଗା ଓ ଯମୁନା ନାମକ ଦୁଇଟି କୂଅର ଜଳରେ ଅବଢ଼ା ରନ୍ଧାଯାଏ। ଐତିହାସିକ ମତାନୁସାରେ ଯଯାତି କେଶରୀ ଶ୍ରୀମନ୍ଦିରରେ ଅନ୍ନମହାପ୍ରସାଦ ଆରମ୍ଭ କରିଥିଲେ। ପୁରୀ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଭୋଗ ଲଗାଯିବା ପରେ ଏହା କ୍ଷେତ୍ରାଧିଶ୍ୱରୀ ମା ବିମଳାଙ୍କୁ ଲାଗି ହେବାପରେ ମହାପ୍ରସାଦ ହୁଏ ଓ ଆନନ୍ଦ ବଜାରରେ ଏହାକୁ ଭକ୍ତମାନଙ୍କ ନିମନ୍ତେ ବିକ୍ରି କରାଯାଇଥାଏ।

Leave a Reply

Your email address will not be published. Required fields are marked *