Cm

ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍‌ ଜବାବ ଦେବା ପାଇଁ ଆମ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର: ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି ।

ଏହି ଯାତ୍ରା, ସକାଳ ୮ଟାରେ କଳିଙ୍ଗ ଷ୍ଟାଡିଅମ ଠାରୁ ଆରମ୍ଭ ହୋଇ ରାଜଭବନ ପର୍ଯ୍ୟନ୍ତ ହୋଇଥିବା ବେଳେ, ପୋଲିସ ବାହିନୀ, ସୁରକ୍ଷା ବାହିନୀ, ଲୋକପ୍ରତିନିଧି ଏବଂ ସାଧାରଣ ଜନତା ଏହି ରାଲିରେ, ନିଜ ସହିତ ତ୍ରିରଙ୍ଗା ପତାକା ଧରି ବାଇକ ଚଳାଇ ବନ୍ଦେ ମା ତରମ୍ ଧ୍ଵନି ଦେଇ ସହର ପରିକ୍ରମା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେଯେ, ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ଆତଙ୍କବାଦ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ । ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ, ଯେତେବେଳେ ଏକଜୁଟ୍‍ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୁଦ୍ଧରେ ସଫଳ ହେବେ ନାହିଁ । ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ । ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ ।

ଗତବର୍ଷ ଅଗଷ୍ଟ ୧୪ ତାରିଖରେ ମଧ୍ୟ ତ୍ରିରଙ୍ଗା ଯାତ୍ରାରେ ମୁଁ ଯୋଗ ଦେଇଥିଲି । ସମସ୍ତଙ୍କ ଭିତରେ ଥିବା ଅଭୂତପୂର୍ବ ଉତ୍ସାହକୁ ଦେଖି ମୁଁ ନିଜେ ମଧ୍ୟ ଖୁବ୍‍ ଉତ୍ସାହିତ ହୋଇଥିଲି । ଆଜି ମଧ୍ୟ ଠିକ୍‍ ସେହିଭଳି ପରିସ୍ଥିତି ଆସିଛି । ଅପରେସନ୍‍ ସିନ୍ଦୁର’ର ସଫଳତା ଆମର ମା’ମାନଙ୍କ ଓ ଭଉଣୀମାନଙ୍କ ସଂକଳ୍ପର ସଫଳତା । ଆମର ସେନାବାହିନୀର ବୀର ଜବାନମାନେ ସିନ୍ଦୁର’ର ମର୍ଯ୍ୟାଦା ରଖିଛନ୍ତି । ସେଥିପାଇଁ ମୁଁ ଆମ ଦେଶର ବୀର ଜବାନ ମାନଙ୍କୁ ପୁଣି ଥରେ ହୃଦୟରୁ କୋଟି ସମ୍ମାନ ଜଣାଉଛି ବୋଲି ସେ କହିଥିଲେ ।

ସେ ପୁଣି କହିଥିଲେଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଆମେ ସବୁ ଭାରତୀୟ ନିରାପଦ । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଭାରତୀୟ ଶାନ୍ତି ଓ ସୁରକ୍ଷାର ସହ ରହିବା ପାଇଁ ଭାରତବର୍ଷ ଶକ୍ତିଶାଳୀ ହେବା ଜରୁରୀ । ଆବଶ୍ୟକ ପଡିଲେ ଆମ ପାଇଁ ଶକ୍ତି ପ୍ରଦର୍ଶନ ମଧ୍ୟ ଜରୁରୀ ଏବଂ ମୋଦିଜୀ ଏହାକୁ ଅପରେଶନ ସିନ୍ଦୁରରେ ପ୍ରମାଣିତ କରି ଦେଖାଇଛନ୍ତି । ପରମାଣୁ ଶକ୍ତିର ବ୍ଲାକ୍‌ମେଲିଂକୁ ଭାରତ ଭୃକ୍ଷେପ କରିବ ନାହିଁ ବୋଲି ମୋଦୀଜୀଙ୍କ ଯେଉଁ ଦୃଢ ଚେତାବନୀ ଆଜି ସାରା ବିଶ୍ବରେ ପ୍ରତିଧ୍ବନିତ ହେଉଛି। ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍‌ ଜବାବ ଦେବା ପାଇଁ ଆମ ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ ।

Leave a Reply

Your email address will not be published. Required fields are marked *