ମେ ୨୮ରେ ଆସିବ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ରାୟ
ବଲାଙ୍ଗୀର:ମେ ୨୮ରେ ଆସିବ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ରାୟ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ମାମଲାର ରାୟ ମେ ୨୮ରେ ଆସିବ। ପାଟଣାଗଡ଼ ଏଡିଜେ କୋର୍ଟ ରାୟ ଶୁଣାଇବେ।
ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲାର ରାୟ ଆଜି ଶେଷ ଶୁଣାଣି ହେବା ପରେ ରାୟ ସଂରକ୍ଷିତ ରଖିଛନ୍ତି ପାଟଣାଗଡ଼ ଏଡିଜେ। ଆଜି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଓ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କି ଦଣ୍ଡ ମିଳିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ରହିଛି ।
ଅନ୍ୟ ପକ୍ଷରେ ପୀଡିତା ପରିବାରଙ୍କ ଓକିଲ ଚିତ୍ତରଞ୍ଜନ କାନୁନଗୋଙ୍କ କହିବା ଅନୁସାରେ ଠିକ୍ ଭାବେ ତଦନ୍ତ ହୋଇଛି, ଯାହା ଆମେ ଉପସ୍ଥାପନ କରିଛୁ ନ୍ୟାୟ ପାଇବା ନିଶ୍ଚିତ । ସେପଟେ ମୃତ ସୌମ୍ୟଶେଖରଙ୍କ ବାପା କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ଠିକ୍ରେ ତଦନ୍ତ କରିଛି । ଆଗକୁ ଆମେ ନ୍ୟାୟ ପାଇବୁ ।
ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ବାହାଘର ଭୋଜିରେ ମିଳିଥିବା ଉପହାର ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୌମ୍ୟଶେଖରଙ୍କ ମୃତ୍ୟ ସେଠାରେ ହୋଇଥିଲା। ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା I ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗିର ଜିଲ୍ଲା କାରାଗାରରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି ।