ଶପଥ ନେଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗବାଇ
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ଦେଶର ୫୨ତମ ପ୍ରଧାନ ବିଚାରପତି ହୋଇଛନ୍ତି ଜଷ୍ଟିସ୍ ବି.ଆର . ଗବାଇ । ପ୍ରଧାନ ବିଚାରପତି ଭାବେ ତାଙ୍କର କାର୍ଯ୍ୟକାଳ ପ୍ରାୟ ୬ମାସ ହେବ । ୨୩ ନଭେମ୍ବର ୨୦୨୫ରେ ଜଷ୍ଟିସ୍ ବି.ଆର. ଗବାଇ ଅବସର ନେବେ । ସେ ୧୯୬୦ ମସିହା ନଭେମ୍ବର ୨୪ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ । ୧୯୮୫ମସିହାରେ ଓକିଲାତି କରିବା ଆରମ୍ଭ କରି ୨୦୧୯ରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ମଙ୍ଗଳବାର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ଆଇନଜୀବୀ ଓ ବିଚାରପତିଙ୍କ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।