Ratha Kama Puri

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ, କୋଣ ଗୁଜ ଅନୁକୂଳ କରିବେ ରୂପକାର ସେବକ

Spread the love

ପୁରୀ :  ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ।  ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ବିଧି ଅନୁଷ୍ଠିତ ହେବ ।  ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ସେବାୟତମାନେ ଚକ୍ରତୀର୍ଥ ରୋଡ ସ୍ଥିତ ଚକ୍ରନାରାୟଣଙ୍କୁ ପ୍ରଦାନ କରିବେ ।  ସନ୍ଧ୍ୟାଧୂପ ସରିବା ପରେ ପ୍ରଭୁ ନୃସିଂହ ଦେବ ରତ୍ନସିଂହାସନରେ ବିଜେ କରିବେ ।

ଏହାପରେ ଶ୍ରୀନୃସିଂହଙ୍କ ମନ୍ଦିରରେ ପତିମହାପାତ୍ରଙ୍କ ଦ୍ଵାରା ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହେବ ।  ଏପଟେ ଆଜି ରଥ ପାଇଁ ଅନୁକୂଳ ହେବ ଯନ୍ତା ଗାଢ଼ ।  ସେହିପରି ରୂପକାର ସେବକମାନେ କୋଣ ଗୁଜ ଅନୁକୂଳ କରିବେ। ସେଥିପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ ।

ରଥ ସଂହିତା ମୁତାବକ ଭୋଇସେବକ ମାନେ ତିନିରଥର ୪ଟି ଲେଖାଏଁ ୧୨ଟି ଧଉରା କାଠ ଦେବା ପରେ ରୂପକାର ମାନେ ଏଥିରେ ଗୁଜ ଅନୁକୂଳ କରିବା ସହ କୋଣ ଗୁଜରେ ସିଂହ ବିରାଳ ଖୋଦେଇ କରିବେ ।  ସେହିପରି ଭୋଇ ସେବକମାନେ ଆଜି ରଥଖଳାରେ ଯନ୍ତାଗାଢ ଖୋଳା ଆରମ୍ଭ କରିଛନ୍ତି ।

ଯନ୍ତାଗାଡରେ ଭୋଇ ସେବକ ମାନେ ତୁମ୍ବରେ ହୋଇଥିବା ବିନ୍ଧରେ ଅର ସଂଯୋଗ ପାଇଁ ସିଙ୍ଗଡା ବାଡିଆ କାର୍ଯ୍ୟ କରିବେ ।  ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରଥଖଳାରେ ଏହି ନୀତିକୁ ବିଧି ପରମ୍ପରା ଅନୁସାରେ ପାଳନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *