Image 1743225306

ଭୂକମ୍ପରେ ମିଆଁମାର ଓ ଥାଇଲ୍ୟାଣ୍ଡ ଛାରଖାର: ଭାରତ ଆରମ୍ଭ କଲା ଅପରେସନ ବ୍ରହ୍ମା

Spread the love

ମିଆଁମାର ଓ ଥାଇଲ୍ୟାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ସବୁ କିଛି ଛାରଖାର କରି ଦେଇଛି। ୭.୭ ଓ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ବଡ଼ବଡ଼ ଅଟ୍ଟାଳିକା ମାଟିରେ ମିଶି ଯାଇଥିବା ବେଳେ ରାସ୍ତାଘାଟ ଠାରୁ ଆରମ୍ଭ କରି ବ୍ରିଜ ଭୁଶୁଡ଼ି ପଡ଼ିଛି। ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳୁ ଇତି ମଧ୍ୟରେ ୧୦୦୦ରୁ ଅଧିକ ଲୋକଙ୍କ ମୃତଦେହକୁ ଉଦ୍ଧାର କରି ସାରିଲେଣି। ହଜାର ହଜାର ଲୋକ ନିଖୋଜ ଥିବା ବେଳେ ମୃତ୍ୟୁସଂଖ୍ୟା କେବଳ ମିଆଁମାରରେ ୧୦ ହଜାର ଟପିବ ବୋଲି ଆମେରିକା ପକ୍ଷରୁ ଆଶଙ୍କା କରାଯାଇଛି।

ଭୂକମ୍ପ କ୍ଷୟକ୍ଷତି ପରେ ମିଆଁମାରରେ ଉଦ୍ଧାରକାରୀ ଦଳ ରାତି ତମାମ ଧ୍ୱଂସାବଶେଷ ତଳୁ ନିରବଚ୍ଛିନ୍ନ ଭାବେ ଜୀବନ ଖୋଜିବାରେ ଲାଗିଛନ୍ତି। ବିଶେଷ କରି ମାଣ୍ଡଲେରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏହା ମିଆଁମାରର ଦ୍ୱିତୀୟ ବଡ଼ ସହର ଓ ଭୂକମ୍ପର କେନ୍ଦ୍ରସ୍ଥଳ। ମିଆଁମାରରେ ବର୍ତ୍ତମାନ ସୁଦ୍ଧା ୧୦୦୨ ଜଣଙ୍କ ମୃତଦେହ ଧ୍ୱଂସାବଶେଷ ତଳକୁ ମିଳିଥିବା ଦେଶର ସେନା ପକ୍ଷରୁ କୁହାଯାଇଛି। କିନ୍ତୁ ଆମେରିକା ଏଜେନ୍ସି କହିଛି ଯେ ଯେତିକି କ୍ଷୟକ୍ଷତି ହୋଇଛି, ତା’କୁ ଦେଖିଲେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବାର ଯଥେଷ୍ଟ ଆଶଙ୍କା ରହିଛି। ଆମେରିକାର ଜିଓଲୋଜିକାଲ ସର୍ଭେ(ୟୁଏସଜିଏସ୍‌) ଶୁକ୍ରବାର କହିଛି ଯେ ଭୂକମ୍ପ କ୍ଷୟକ୍ଷତି ଓ ମୃତାହତ ପରିକଳ୍ପନା ବାହାରେ। ମିଆଁମାରେ ଭୂକମ୍ପ ଯେଉଁଭଳି କ୍ଷତି ଘଟାଇଛି, ତା’କୁ ଦେଖିଲେ ଲାଗୁଛି ଯେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଯିବ।

ମିଆଁମାରର ମିଲିଟାରୀ ଜୁଣ୍ଟା କହିଛି ଯେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୧୦୦୨ରେ ପହଞ୍ଚିଥିବା ବେଳେ ୨୩୭୬ ଜଣ ଆହତ ହୋଇଛନ୍ତି। ଶୁକ୍ରବାରର ଭୂକମ୍ପ ସମ୍ପର୍କରେ ପୀଡ଼ିତମାନେ ଲୋମଟାଙ୍କୁରା ଅନୁଭୂତି ବକ୍ଷାଣିଛନ୍ତି। ମିଆଁମାରର ଜଣେ ପୀଡ଼ିତ କହିଛନ୍ତି ଯେ ସେ ୱାଶରୁମରେ ଥିବା ବେଳେ ଭୂକମ୍ପ ଝଟକା ଅନୁଭବ କରିଥିଲେ। ସେ ଥିବା ବିଲଡିଂ ଭୁଶୁଡ଼ି ପଡ଼ିଥିଲା। ଅଳ୍ପକେ ସେ ବର୍ତ୍ତି ଯାଇଥିଲେ। ଅନ୍ୟମାନଙ୍କ ସହ ସେ ଆଉ ଗୋଟିଏ ସ୍ଥାନକୁ ଆଶ୍ରୟ ପାଇଁ ଦୌଡ଼ିଥିଲେ। କିନ୍ତୁ ଉକ୍ତ ବିଲଡିଂ ମଧ୍ୟ ଦ୍ୱିତୀୟ ଭୂକମ୍ପ ଝଟକାରେ ଭୁଶୁଡ଼ି ପଡ଼ିଥିଲା। ତାଙ୍କ ପରିବାରର ୩ ଜଣ ଏବେ ବି ନିଖୋଜ ରହିଛନ୍ତି। କ୍ଷୟକ୍ଷତିକୁ ଦେଖିଲେ ସେମାନେ ବଞ୍ଚିଥିବା ଆଶଙ୍କା ଶୂନ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।

Leave a Reply

Your email address will not be published. Required fields are marked *