Rr

ମହିଳା କଂଗ୍ରେସ କର୍ମୀଙ୍କୁ ହତ୍ୟା, ସୁଟ୍‌କେସ ଭିତରୁ ମିଳିଲା ମୃତଦେହ

Spread the love

ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହିତ ନଜର ଆସିଥିବା ୨୨ ବର୍ଷୀୟା ମହିଳା କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କୁ ହତ୍ୟା କରାଯାଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦିନକ ପୂର୍ବରୁ ହିମାନୀଙ୍କୁ ହତ୍ୟା କରାଯିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହରିୟାଣାର ରୋହତକସ୍ଥିତ ଏକ ବସଷ୍ଟାଣ୍ଡ ପରିସରରେ ପଡ଼ିଥିବା ସୁଟକେସ ଭିତରୁ ହିମାନୀଙ୍କ ମୃତଦେହକୁ ଶନିବାର ଜବତ କରାଯାଇଛି।

ଏହି ଘଟଣା ପରେ ହିମାନୀଙ୍କ ମା’ ସବିତା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବାବେଳେ ଝିଅର ଶତ୍ରୁ ନିଜ ଦଳ ଭିତରେ ରହିଥାଇପାରନ୍ତି ବୋଲି ପ୍ରତ୍ୟକ୍ଷ ଭାବେ ଇସାରା କରିଛନ୍ତି। ସେ କହିଛନ୍ତି, ଦଳରେ ହିମାନୀ ବେଶ୍‌ ସକ୍ରିୟ ଥିବାରୁ ତାଙ୍କର ଶତ୍ରୁ ସଂଖ୍ୟା ବୃଦ୍ଧି ପାଇଥିଲେ। ତାଙ୍କ ହତ୍ୟାର କାରଣ ହେଉଛି କେବଳ ନିର୍ବାଚନ ଏବଂ ଦଳ। ହତ୍ୟାକାରୀ ତାଙ୍କ ବନ୍ଧୁ ମଧ୍ୟ ହୋଇଥାଇପାରନ୍ତି। ଭୁପିନ୍ଦର ସିଂହ ହୁଡ଼ାଙ୍କ ସ୍ତ୍ରୀ ଆଶା ହୁଡାଙ୍କ ସହିତ ତାଙ୍କ ଝିଅର ଭଲ ସମ୍ପର୍କ ଥିଲା। ଖବର ମିଳିବା ପରେ ସେ ଆଶାଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ​‌ସେ ଫୋନ ଉଠାଇ ନ ଥିଲେ। ପାରିବାରିକ ବିବାଦକୁ ନେଇ ମଧ୍ୟ ସେ ଭୟରେ ରହୁଥିଲେ। ୨୦୧୧ରେ ତାଙ୍କର ବଡ଼ ପୁଅକୁ ହତ୍ୟା କରାଯାଇଥିଲା। ତାଙ୍କୁ କେବେ ନ୍ୟାୟ ମିଳିନାହିଁ। ତେଣୁ ସେ ଆଉ ଗୋଟିଏ ପୁଅର ଜୀବନ ରକ୍ଷା ଲାଗି ତାଙ୍କୁ ବିଏସଏଫ କ୍ୟାମ୍ପରେ ଛାଡ଼ି ଆସିଥିଲେ। ବର୍ତ୍ତମାନ ଝିଅକୁ ନ୍ୟାୟ ନ ମିଳିବା ଯାଏ ସେ ଶେଷ କୃତ୍ୟ କରିବେ ନାହିଁ ବୋଲି କହିଛନ୍ତି।

ସବିତା ଆହୁରି କହିଛନ୍ତି, ହିମାନୀ ଦଳ ଛାଡ଼ି ଚାକିରି କରିବାକୁ ଚାହୁଁଥିଲା। ଏହା ସହିତ ବିବାହ ପାଇଁ ମଧ୍ୟ ରାଜି ହୋଇଥିଲା। ସୂଚନାଯୋଗ୍ୟ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ସମୟରେ ହିମାନୀ ବେଶ୍‌ ସକ୍ରିୟ ରହିଥିଲେ। ସେ ରାହୁଲ ଗାନ୍ଧୀଙ୍କ ସହିତ ବହୁ ସମୟରେ ନଜର ଆସିଥିଲେ।

Leave a Reply

Your email address will not be published. Required fields are marked *