Pakistani TV Anchor

ଟିଭି ଆଙ୍କରଙ୍କୁ ଗୁଳି କରି ହତ୍ୟା, ସ୍ୱାମୀଙ୍କୁ ଉଠାଇନେଲା ପୋଲିସ

Spread the love

ପାକିସ୍ତାନ: ପାକିସ୍ତାନରେ ମହିଳା ଟିଭି ଆଙ୍କରଙ୍କୁ ଗୁଳି କରି ହତ୍ୟା ! ରାୱଲପିଣ୍ଡିସ୍ଥିତ ଘରୁ ରାବିଆ ଅହସାନଙ୍କ ମୃତଦେହ ଉଦ୍ଧାର। ସନ୍ଦେହରେ ସ୍ୱାମୀଙ୍କୁ ହେପାଜତକୁ ନେଲା ପୋଲିସ । ପାକିସ୍ତାନରେ ଜଣେ ମହିଳା ଟେଲିଭିଜନ୍ ଆଙ୍କରଙ୍କ ଗୁଳିମାଡ଼ରେ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ । ରାୱଲପିଣ୍ଡିରେ ନିଜ ଘରେ ଗୁଳିବିଦ୍ଧ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଟିଭି ଆଙ୍କର ରାବିଆ ଅହସାନ । ଘଟଣା ପରେ ପୋଲିସ ତାଙ୍କ ସ୍ୱାମୀଙ୍କୁ ସନ୍ଦେହରେ ହେପାଜତକୁ ନେଇଛି । ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାଟି ରାବିଆଙ୍କ ଘରେ ଘଟିଥିଲା ।

ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ନା ଦୁର୍ଘଟଣା, ସେନେଇ ତଦନ୍ତ ଚାଲିଛି । ପୋଲିସକୁ ରାବିଆଙ୍କ ସ୍ୱାମୀ କହିଛନ୍ତି ଯେ, ଦୁର୍ଘଟଣାବଶତଃ ବନ୍ଧୁକରୁ ଗୁଳି ଫୁଟିଯାଇଥିଲା । କିନ୍ତୁ ତାଙ୍କର ଏହି ବୟାନକୁ ପୋଲିସ ଏପର୍ଯ୍ୟନ୍ତ ସତ୍ୟ ବୋଲି ଗ୍ରହଣ କରିନାହିଁ । ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଏହି ଘଟଣାରେ ସ୍ୱାମୀଙ୍କ ଭୂମିକା କ’ଣ ଥିଲା ଏବଂ କେଉଁ ପରିସ୍ଥିତିରେ ଗୁଳି ଫୁଟିଥିଲା, ତାହା ସ୍ପଷ୍ଟ ହେବା ବାକି ରହିଛି । ପୋଲିସ ତଦନ୍ତର ଚୂଡ଼ାନ୍ତ ନିଷ୍କର୍ଷ ଆସିବା ପରେ ହିଁ ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ, ସେନେଇ ସ୍ପଷ୍ଟ ଚିତ୍ର ମିଳିପାରିବ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାବିଆଙ୍କ ସ୍ୱାମୀ ଅହସାନ ତାହିରଙ୍କୁ ସୋମବାର ରାୱଲପିଣ୍ଡିର ଏକ ଅଦାଲତ ଦୁଇଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ରାବିଆଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପାକିସ୍ତାନ ଦଣ୍ଡବିଧିର ଧାରା ୩୦୨ ଅନୁଯାୟୀ ହତ୍ୟା ମାମଲା ରୁଜୁ ହୋଇଛି । ମୃତ ଆଙ୍କରଙ୍କ ବୟସ ୪୧ ବର୍ଷ ଥିଲା ଏବଂ ତାଙ୍କର ଦୁଇ ଝିଅ ଅଛନ୍ତି। ଏହି ଘଟଣାକୁ ନିନ୍ଦା କରିଛନ୍ତି ପାକିସ୍ତାନର ଫାଷ୍ଟ ଲେଡି ଆସିଫା ଭୁଟ୍ଟୋ ଜର୍ଦ୍ଦାରୀ । ସେ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଦାବି କରିବା ସହ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *