Screenshot 2026 11 10 153818 e1794305345787

ଗିଡ଼ିପାବାଲି ଭୂସ୍ଖଳନ: ସ୍ଥଗିତ ରହିଲା ଉଦ୍ଧାର କାର୍ଯ୍ୟ, ଏବେ ବି ୬ ନିଖୋଜ

Spread the love

ଭୁବନେଶ୍ୱର: ଗିଡ଼ିପାବାଲିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସ୍ଥଗିତ ଘୋଷଣା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ। ଏ ନେଇ ଜିଲ୍ଲାପାଳ କହିଛନ୍ତି, ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ୧୩ ଜଣ ନିଖୋଜ ଥିଲେ, ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ବି ୬ ଜଣ ନିଖୋଜ ଅଛନ୍ତି। ନିଖୋଜ ୬ ଜଣଙ୍କ ପରିବାର ଲୋକେ ଲିଖିତ ଭାବେ ଜଣାଇବା ପରେ ସ୍ଥଗିତ କରାଯାଇଛି କହିଛନ୍ତି ଜିଲ୍ଲାପାଳ।

ନିଖୋଜ ବ୍ୟକ୍ତିଙ୍କ ପରିବାରବର୍ଗ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଭାବେ ଉଦ୍ଧାର କାର୍ଯ୍ୟ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ସେମାନେ ଜଣାଇଛନ୍ତି ଯେ, ସେମାନଙ୍କ ପରିବାର ସଦସ୍ୟ ଏବଂ ଘରଗୁଡ଼ିକ ପ୍ରାୟ ୩୦ ଫୁଟ ଉଚ୍ଚର ମାଟି, ପଥର ଓ ଅନ୍ୟାନ୍ୟ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛି, ଯାହା ଫଳରେ ସେଠାରୁ କାହାକୁ ବା କିଛି ଉଦ୍ଧାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।

ପ୍ରଶାସନ ସେମାନଙ୍କୁ ଥଇଥାନ ସହ ଜମି ଦେଉ ବୋଲି ପ୍ରଭାବିତ ଲୋକମାନେ ଅନୁରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ, ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହିପାରିବେ ନାହିଁ। ତେଣୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜମି ଯୋଗାଇ ଦେବା ସହ ନିଜ ଜୀବନକୁ ପୁନର୍ବାର ଗଢ଼ି ତୋଳିବାରେ ସହାୟତା ଯୋଗାଇ ଦେବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୨୮ ତାରିଖ ଭୋର ସମୟରେ ଗଞ୍ଜାମ-କନ୍ଧମାଳ ସୀମା ନିକଟସ୍ଥ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଥିଲା। ‘ଅର୍ଣ୍ଣବ’ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ପାହାଡ଼ ଉପରୁ ମାଟି, ବିଶାଳ ପଥର, ଉପୁଡ଼ି ପଡ଼ିଥିବା ଗଛ ଏବଂ ପାଣି ତଳକୁ ଖସି ଆସିଥିଲା, ଯାହା ଫଳରେ ଗ୍ରାମବାସୀମାନେ ଶୋଇଥିବା ଅବସ୍ଥାରେ ଅନେକ ଘର ମାଟି ଓ ପଥର ତଳେ ପୋତି ହୋଇଯାଇଥିଲା। ୨୦୦ ଜଣ ଉଦ୍ଧାରକାରୀ ନିୟୋଜିତ ହୋଇ ଉଦ୍ଧାର କାର୍ଯ୍ୟ କରିଥିଲେ। ପ୍ରତିଟି ମାଟି ପଥର ହଟାଇ ଉଦ୍ଧାରକାର୍ଯ୍ୟ କରିଥିଲେ ଟିମ୍ ।

Leave a Reply

Your email address will not be published. Required fields are marked *