Screenshot 2026 09 24 191241 750x430

ମଇଁଷି ଚରାଳିରୁ ଆଇ.ଏ.ଏସ ଅଫିସର, ମହିଳାଙ୍କ ପାଇଁ ଦିଗଦର୍ଶନ ତାମିଲନାଡୁର ସି ବନମଥି

Spread the love

ଚେନ୍ନାଇ: ମଇଁଷି ଚରାଇ ପେଟ ପୋଷୁଥିଲେ ଏବେ ଆଇ.ଏ.ଏସ ଅଫିସର । ନିପଟ ଗାଁରେ ରହୁଥିବା ଜଣେ ମହିଳା ଆଇଏଏସ ପାଇ ସମସ୍ତଙ୍କୁ ଚକ୍କିତ କରିଛନ୍ତି । ଦାରିଦ୍ର‌୍ୟ ଯାହାକୁ ନିଜର କରିଛି ତା କବଳରୁ ବାହାରି ସମାଜରେ ପ୍ରତିଷ୍ଠିତ ହେବା ସହଜ କଥା ନୁହେଁ । ହେଲେ ଜଣେ ମହିଳା ଦୁଃଖକଷ୍ଟ ସହି ଦାରିଦ୍ର‌୍ୟରୁ ବାହାରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ମହିଳା ମଇଁଷି ଚରାଳିରୁ କେମିତି ଆଇଏଏସ ହେଲେ ତାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆରେ ଏହି ମହିଳାଙ୍କ ଜୀବନ କାହାଣୀ ଟ୍ରେଣ୍ଡ ପାଲଟିଛି । ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ଆଜି ସଫଳତା ମିଳିଛି । ଏ ହେଉଛନ୍ତି ତାମିଲନାଡୁର ସି ବନମଥି ।

ଦିନ ସେ ପରିବାର ଚଳାଇବା ପାଇଁ ମଇଁଷି ଚରାଉଥିଲେ । ହେଲେ ନିଜ ଇଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ଆଜି ଆଇଏଏସ ଅଫିସର ହୋଇଛନ୍ତି । ତାଙ୍କର ଏହି ଅବିଶ୍ୱସନୀୟ ସଫଳତାର କାହାଣୀ ଯୁବପୀଢୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ତାମିଲନାଡୁର ଇରୋଡ ଜିଲ୍ଲାର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସି ବନମଥି । ବାପା ଭଡାରେ ଗାଡି ଆଣି ଚଳାଉଥିଲେ । ହେଲେ ପରିବାର ସେହିଥିରେ ଚଳିବା କଷ୍ଟ ହେଉଥିଲା । ସେଥିପାଇଁ ତାଙ୍କ ଘରେ ଗାଈମଇଁଷି ରଖିବାକୁ ପଡିଲା । ବନମଥି ପିଲାଦିନେ ପାଠ ପଢିବା ସହ ଗାଈ ମଇଁଷି ଚରାଉଥିଲେ । ସେ ନିଜେ ଘାସ କାଟିବା ଓ କ୍ଷୀର ବିକ୍ରି କରିବାରେ ପରିବାରକୁ ସାହାଯ୍ୟ କରୁଥିଲେ । ଦାରିଦ୍ର‌୍ୟ ତାଙ୍କ ପରିବାରକୁ ଏମିତି ଗ୍ରାସ କରିଥିଲା ଯେ ବନମଥି ପାଠ ପଢିବା ପାଇଁ ବହୁତ କଷ୍ଟ ସହିବାକୁ ପଡୁଥିଲା । ଯଦି ସେ ମଇଁଷି ନଚରାଇବେ, କ୍ଷୀର ବିକ୍ରି ନକରିବେ ତେବେ ଚଳିବା କଷ୍ଟ ହେଉଥିଲା ।

ଏପରିକି ସେ ଦଶମ ଶ୍ରେଣୀରେ ପାସ କରିବା ପରେ ତାଙ୍କ ପରିବାର ଓ ସମ୍ପର୍କୀୟ ମାନେ ବାହାଘର କରିବାକୁ ଚାପ ପକାଇଥିଲେ । ହେଲେ ବନମଥି ସେଥିରେ ରାଜି ହୋଇନଥିଲେ । ପାଠ ପଢିବା ପାଇଁ ତାଙ୍କର ଇଛାଶକ୍ତି ବହୁତ ଥିଲା, ନିଜ ଗୋଡରେ ଛିଡା ହୋଇ କିଛି କରି ଦେଖାଇବା ପାଇଁ ସେ ଚାହିଁଥିଲେ । ସେଥିପାଇଁ ସେ ବାହାଘରକୁ ପ୍ରତ୍ୟାଖାନ କରି ଉଚ୍ଚଶିକ୍ଷା ପାଇଁ ଆଗେଇ ଚାଲିଥିଲେ । ଏମସିଏ ଡିଗ୍ରୀ ହାସଲ କରିବା ପରେ ଜଣେ ମହିଳା ଆଇ.ଏ.ଏସ ଅଫିସରଙ୍କ ସମ୍ମାନ ଓ କାର୍ଯ୍ୟ ଦକ୍ଷତା ତାଙ୍କୁ ପ୍ରଭାବିତ କରିଥିଲା । ଏହାପରେ ସେ ସିଭିଲ ସର୍ଭିସେସ ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ଚାହିଁଥିଲେ । ଏମ.ସି.ଏ ପରେ ୟୁପିଏସସି ପାଇଁ ସେ ଜୋରସୋରରେ ପ୍ରସ୍ତୁତି ଚଳାଇଥିଲେ । କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ସେ ୨୦୧୫ରେ ୟୁ.ପି.ଏସ.ସି ପରୀକ୍ଷାରେ ୧୫୨ ର‌୍ୟାଙ୍କରେ ରହି ସମସ୍ତଙ୍କୁ ଚକ୍କିତ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ୟୁପିଏସସି ଫଳାଫଳ ବାହାରିବା ଦିନ ସେ ନିଜେ ବଣକୁ ମଇଁଷି ଚରାଇବାକୁ ଯାଇଥିଲେ ।

ସି ବନମଥିଙ୍କ ଏହି ସଫଳତା କେବଳ ତାଙ୍କ ଗାଁ ବା ଜିଲ୍ଲା ନୁହେଁ ବରଂ ସାରା ଦେଶରେ ଝିଅମାନଙ୍କ ପାଇଁ ଏକ ଦିଗଦର୍ଶନ । ନିଜର ଇଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ଆଜି ସାରା ଦେଶରେ ସେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ନିଜର ସ୍ୱପ୍ନ ପୂରଣ ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଥିବାରୁ ଆଜି ତାଙ୍କୁ ସଫଳତା ମିଳିଛି । ଯଦି ସେଦିନ ସେ ବିବାହ କରିଥାନ୍ତେ ତେବେ ଆଜି ଏ ସଫଳତା ମିଳିନଥାନ୍ତା । ଆଜି ସେ ବିବାହ କରିସାରିଛନ୍ତି ହେଲେ ପ୍ରଥମେ ସେ ଜଣେ ସଫଳ ମଣିଷ ଏହାପରେ ଜଣେ ବିବାହିତ ନାରୀ ହୋଇଛନ୍ତି । ତେଣୁ ସମସ୍ତେ ସଫଳତା ପାଇଁ କଠିନ ପରିଶ୍ରମ କରିବା ଜରୁରୀ ବୋଲି ଅନେକ ମତ ଦିଅନ୍ତି ।

Leave a Reply

Your email address will not be published. Required fields are marked *