ଦୁଇ ବାଇକ୍ ମୁହାମୁହିଁ ଧକ୍କା: ୨ ମୃତ
ଯାଜପୁର ରୋଡ୍: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜଣକ ଜୀବନ । ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ସୁକିନ୍ଦା ଥାନା ଖରଡ଼ି ଛକ ନିକଟରେ । ସୁକିନ୍ଦା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ଖରଡ଼ି ଅଞ୍ଚଳର ସମୀର ସାହୁ କୌଣସି କାର୍ଯ୍ୟରେ ସୁକିନ୍ଦା ଅଭିମୁଖେ ଯାଉଥିବବେଳେ ହରିପୁର ଅଞ୍ଚଳର ଗଦାଧର ବାରିକ ସୁକିନ୍ଦାରୁ ହରିପୁର ଅଭିମୁଖେ ଫେରୁଥିଲେ । ହେଲେ ଖରଡ଼ି ଛକ ନିକଟରେ ସମୀର ଏକ ବୋଲେରୋକୁ ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ଗଦାଧରଙ୍କୁ ଧକ୍କା ଦେଇଥିଲେ। ଏଥିରେ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଥିଲେ ।
ତେବେ ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଗଦାଧରଙ୍କୁ ମୃତ ଘୋଷଣା କରିଥିବା ବେଳେ ସମୀରଙ୍କୁ ଅଧିକ ଚିକିତ୍ସା ପାଇଁ କଳିଙ୍ଗନଗର ଟାଟା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ ସମୀରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
