୨୭ଟି ପ୍ରକଳ୍ପକୁ ମୋହର: ରାଜ୍ୟରେ ସ୍ଥାପନ ହେବ ୪ଟି ଡାଟା ସେଣ୍ଟର: ଖୋର୍ଦ୍ଧାରେ ୧୦୦୦ ଶଯ୍ୟାର ଆଦାନୀ ହସ୍ପିଟାଲ
ଭୁବନେଶ୍ବର: ରାଜ୍ୟରେ ଚାରିଟି ଡାଟା ସେଣ୍ଟର ସ୍ଥାପନ ହେବାକୁ ଯାଉଛି। ଖୋର୍ଦ୍ଧା, ପୁରୀ ଓ କଟକରେ ହେବାକୁ ଥିବା ଏହି ଡାଟା ସେଣ୍ଟରଗୁଡ଼ିକରେ ମୋଟ୍ ୧,୪୨,୯୪୧ କୋଟି ଟଙ୍କା ନିବେଶ ହେବ। ଏହି ପ୍ରକଳ୍ପଗୁଡ଼ିକ ସମେତ ୧୫ଟି ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ୨.୪୭ ଲକ୍ଷ କୋଟି ଟଙ୍କା ନିବେଶର ୨୭ଟି ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୬ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ) ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ରାଜ୍ୟରେ ୫୦,୧୬୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଯେଉଁ ଧରଣର ପ୍ରକଳ୍ପ ମଞ୍ଜୁର ହୋଇଛି ତାହା ଓଡ଼ିଶାରେ ନିବେଶକଙ୍କ ବଢ଼ୁଥିବା ଭରସା ଓ ରାଜ୍ୟର ଶିଳ୍ପ ଦୃଶ୍ୟପଟରେ ହେଉଥିବା ରୂପାନ୍ତରଣକୁ ଦର୍ଶାଉଛି। ସନ୍ତୁଳିତ ଆଞ୍ଚଳିକ ଶିଳ୍ପ ବିକାଶ ଉପରେ ଆମେ ଗୁରୁତ୍ବ ଦେଉଛୁ ବୋଲି ସେ କହିଥିଲେ। ବୈଠକର ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ହାଇ ଡେନ୍ସିଟି ଡାଟାସେଣ୍ଟର ଲିମିଟେଡ୍ ଏକ ସମନ୍ବିତ ଡାଟା ସେଣ୍ଟରରେ ୧,୦୪,୫୫୦ କୋଟି ଟଙ୍କା ଓ ଏଚ୍ସିଏଲ୍ ଟେକ୍ନୋଲୋଜି ଏକ ଏଆଇ ଡାଟା ସେଣ୍ଟର୍ରେ ୧୪,୨୫୭ କୋଟି ଟଙ୍କା ନିବେଶ କରିବେ। ପୁରୀରେ ସେଣ୍ଟାଫୋର୍ଜ ଏଆଇ ତରଫରୁ ୨୨,୬୩୪ କୋଟି ଟଙ୍କା ନିବେଶରେ ଏକ ଏଆଇ ଡାଟା ସେଣ୍ଟର୍ ସହିତ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି) ସ୍ଥାପନ କରାଯିବ। କଟକରେ ଏକ ଡାଟା ସେଣ୍ଟର ନିର୍ମାଣ କରିବାରେ ଆର୍କେଡି କନ୍ଷ୍ଟ୍ରକ୍ସନ୍ ୧୫୦୦ କୋଟି ଟଙ୍କା ନିବେଶ କରିବ।
