ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଭୂସ୍ଖଳନ
ମାଲକାନଗିରି: ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଭୂସ୍ଖଳନ । ବାୟାପଡ଼ା ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଘାଟିରୁ ମାଟି ଅତଡା ଖସିବାରୁ ୧୮ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ମାଟି ପଡ଼ି ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ରାସ୍ତା ସଫା କାମ ଆରମ୍ଭ ହୋଇଛି । ରାସ୍ତା ଉପରେ ପଡ଼ିଥିବା ମାଟି ଓ ପଥରକୁ ହଟାଯାଉଛି । ଘାଟିର ଉଭୟ ପାର୍ଶ୍ୱରେ ପ୍ରଶାସନ ପକ୍ଷରୁ ଯାତାୟାତ ଉପରେ କଟକଣା ଲଗାଯାଇଛି । ମାଲକାନଗିରି ଜିଲ୍ଲାରେ ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି ।
ସେପଟେ ଜଗତସିଂହପୁର ଶିଆଳି ଓ ରାମତରା ନିକଟରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ସମୁଦ୍ର ଜୁଆର କୂଳ ଲଙ୍ଘିଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିଛି । ସମୁଦ୍ର ନିକଟକୁ ନଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହିତ ଗଭୀର ଅବପାତ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା। ବର୍ଷା ସହ ତୁହାକୁ ତୁହା ପବନ ବୋହୁଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବେଶ୍ ସତର୍କତା ଅବଲମ୍ବନ କରିଛି। ସମସ୍ତ ବ୍ଲକର ବିଡ଼ିଓ ଓ ତହସିଲଦାର ମାନଙ୍କୁ ସଜାଗ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଥିବାରୁ ୧୧ଟି ହଟ୍ ସ୍ପଟ୍ ଚିହ୍ନଟ କରାଯାଇଛି। ସେହିପରି ପାନୀୟ ଜଳ,ବିଦ୍ଯୁତ୍ ବିଭାଗ ସଜାଗ ରହିଥିବା ବେଳେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି।
ଅନ୍ୟପଟେ କେନ୍ଦୁଝର ତେଲକୋଇର ପଙ୍ଗା ଓ ଶଙ୍କରପୁର ପୋଲ ଉପରେ ମଧ୍ୟ ପାଣି ଚାଲୁଛି । ଫଳରେ ଏହି ଅଞ୍ଚଳରେ ଯାତାୟାତ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି ।
