Hirakud dam open

ବଢୁଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର: ଖୋଲିଲା ଆଉ ୪ଟି ଗେଟ୍, ୨୮ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

Spread the love

ସମ୍ବଲପୁର :  ଖୋଲିଲା ହୀରାକୁଦର ଆଉ ୪ ଟି ଗେଟ୍| ୨୮ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିସ୍କାସନ। ଛତିଶଗଡ଼ରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ୨୮ ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୨୮.୧୯ ଫୁଟ ରହିଛି । ଜଳ ନିଷ୍କାସନ ପାଇଁ ୨୮ ଟି ଗେଟ୍ ଖୋଲା ରହିଛି। ପରିସ୍ଥିତି ଓ ଜଳ ପ୍ରବେଶକୁ ଦେଖି ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ଆଉ କିଛି ଗେଟ୍ ଖୋଲାଯାଇପାରେ ବୋଲି ଦିଲୀପ ରାଉତ କହିଛନ୍ତି । ମୁଣ୍ଡଳୀରେ ଜଳପ୍ରବାହ ମଧ୍ୟ ବଢ଼ିବାକୁ ଯାଉଛି । ଆଜି ମଧ୍ୟରାତ୍ରି ସୁଦ୍ଧା ଏଠାରେ ପ୍ରାୟ ୭ ଲକ୍ଷ କ୍ୟୁସେକ୍ ଏବଂ ଆସନ୍ତାକାଲି ସକାଳ ୯ଟା ମଧ୍ୟରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆକଳନ କରାଯାଇଛି ।

ଏହାର ପ୍ରଭାବରେ ମହାନଦୀ ଅବବାହିକାର ତଳିଆ ଅଞ୍ଚଳରେ ପାଣି ପଶିବା ସହ କିଛି ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇପାରେ । ବିଶେଷକରି ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା, ଗୋପ, ଏରସମା, ବାଲିକୁଦା ଓ ପାଟକୁରା ଭଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କା ରହିଛି । କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇପାରେ । ଆଗାମୀ ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ । ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର ଇଞ୍ଜିନିୟରମାନଙ୍କୁ ସଜାଗ ରଖାଯାଇଛି । ନଦୀବନ୍ଧ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ସହ ରାତିରେ ପାଟ୍ରୋଲିଂ କରାଯିବ ବୋଲି ଦିଲୀପ ରାଉତ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *