Screenshot 2026 09 26 144539 750x430

ବଢୁଛି ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର: ସଚେତନ ରହିବାକୁ ପ୍ରଶାସନର ପରାମର୍ଶ

Spread the love

ଦିଗପହଣ୍ଡି: ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଏବେ ବି ସମ୍ପୂର୍ଣ୍ଣ କମିନାହିଁ। ଲ୍ୟାଣ୍ଡଫଲ୍‌ର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗର ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରୁ ଆରମ୍ଭ କରି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ପାଣିପାଗର ପ୍ରଭାବ ଦେଖିବାକୁ ମିଳିଛି। ସେପଟେ ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେତୁ ଜଳଭଣ୍ଡାରର ଜଳସ୍ତରକୁ ସନ୍ତୁଳିତ ରଖିବା ଉଦ୍ଦେଶ୍ୟରେ ଗୋଟିଏ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି।

ଜଳ ଧାରଣା କ୍ଷମତା ୧୧୭.୮୧ ମିଟର ଥିବା ବେଳେ ବର୍ତ୍ତମାନ ୧୧୭.୨୦ ମିଟର ଅଛି । ୨୬ କ୍ୟୁସେକ୍ ଜଳ ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୧୪ କ୍ୟୁସେକ୍ ଜଳ ଗୋଟିଏ ଗେଟ ଦେଇ ନିଷ୍କାସନ ହେଉଛି। ଏହି ନିଷ୍କାସିତ ଜଳ ଆଜି ପ୍ରାୟ ସନ୍ଧ୍ୟା ୭ଟା ସମୟରେ ହୀରାଧର ବାଟୀଠାରେ ଋଷିକୁଲ୍ୟା ନଦୀରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ନିମ୍ନ ଅବବାହିକାରେ ରହୁଥିବା ଜନସାଧାରଣଙ୍କୁ ସତର୍କ ରହିବା ସହ ନଦୀ ନିକଟକୁ ନଯିବା ଏବଂ ନଦୀଜଳରେ ପ୍ରବେଶ ନକରିବା ପାଇଁ ଅନୁରୋଧ କରାଯାଉଛି।

ଡ୍ୟାମର ଉପରମୁଣ୍ଡରେ ଥିବା ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତ ୫ ଦିନ ହେଲା ଲଘୁଚାପ ଜନିତ ବର୍ଷା ପ୍ରଭାବରେ ନଦୀ, ନାଳ ଓ ଶାଖା ନଦୀଗୁଡ଼ିକରେ ପ୍ରବାହିତ ବନ୍ୟାଜଳ ଡ୍ୟାମ ମଧ୍ୟକୁ ପ୍ରବେଶ କରୁଛି। ଡ୍ୟାମ୍‌ ମଧ୍ୟକୁ ଘଣ୍ଟା ପ୍ରତି ୨୬ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ତେଣୁ ବିଭାଗୀୟ ପ୍ରମୁଖ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଡ୍ୟାମ୍‌ରୁ ନଦୀ ମଧ୍ୟକୁ ଘଣ୍ଟା ପ୍ରତି ୧୪ କ୍ୟୁସେକ୍‌ ଜଳ ଛଡ଼ାଯାଉଥିବା ଜଣାପଡ଼ିଛି। ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ନଦୀ ମଧ୍ୟକୁ ନଯିବା ସହ କୌଣସି ଗୃହପାଳିତ ପ୍ରାଣୀମାନଙ୍କୁ ନ ଛାଡ଼ିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ଡ୍ୟାମ ମଧ୍ୟରୁ ଛୋଟ ବଡ଼ କୁମ୍ଭୀର ମଧ୍ୟ ଗେଟ୍‌ ମଧ୍ୟ ଦେଇ ନଦୀ ମଧ୍ୟକୁ ଯାଇପାରେ ବୋଲି ମଧ୍ୟ ଲୋକଙ୍କୁ ସତର୍କ କରାଯାଇଛି।

Leave a Reply

Your email address will not be published. Required fields are marked *