ରାଜ୍ୟସଭା କ୍ରସ୍ ଭୋଟିଂ ମାମଲା: ସେପ୍ଟେମ୍ବର ୨୯କୁ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳର କିଛି ବିଧାୟକଙ୍କ ଦ୍ୱାରା ହୋଇଥିବା ଚର୍ଚ୍ଚିତ କ୍ରସ୍ ଭୋଟିଂ ଏବଂ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଓଡ଼ିଶା ରାଜନୀତିରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ ଅମାନ୍ୟ କରି କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଆଜି ବିଚାରପତି ଜଷ୍ଟିସ ଆର୍.କେ. ପଟ୍ଟନାୟକଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ମାମଲାରେ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି ।
ବାଚସ୍ପତିଙ୍କ ଦ୍ୱାରା ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ଆବେଦନ ଖାରଜ ହେବା ପରେ ବିଜେଡି ସିଧାସଳଖ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ମାମଲା ଦାୟର କରିଛନ୍ତି। ରମାକାନ୍ତ ଭୋଇ, ସୁବାସିନୀ ଜେନା, ନବକିଶୋର ମଲ୍ଲିକ, ଚକ୍ରମଣି କଅଁର, ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ସମେତ ବିଧାନସଭା ବାଚସ୍ପତିଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି ।
ଏହି ହାଇ-ପ୍ରୋଫାଇଲ୍ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱୟଂ ଆଡଭୋକେଟ୍ ଜେନେରାଲ କୋର୍ଟରେ ହାଜର ହୋଇ ସରକାରୀ ଓ ଆଇନଗତ ସ୍ଥିତି ସ୍ପଷ୍ଟ କରିଛନ୍ତି । ବିଜେଡି ଏବଂ ବିଧାୟକଙ୍କ ମଧ୍ୟରେ ଚାଲିଥିବା ଏହି ଆଇନଗତ ଓ ରାଜନୈତିକ ଲଢ଼ଇରେ କୋର୍ଟ ଏହାର ଗମ୍ଭୀରତାକୁ ବିଚାରକୁ ନେଇ ଯଥାଶୀଘ୍ର ସଠିକ୍ ପ୍ରତିଜବାବ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
